ଖରିଫ ଋତୁ ୨୦୨୨-୨୩ ନିମନ୍ତେ ବ୍ଲକ ସ୍ତରୀୟ ଧାନ କ୍ରୟ ବୈଠକ ଅନୁଷ୍ଠିତ

ଗଞ୍ଜାମ / ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ଛତ୍ରପୁର ଙ୍କ ପକ୍ଷରୁ ସାରା ଜିଲ୍ଲାରେ ଚଳିତ ବର୍ଷର ଖରିଫଋତୁ ଧାନ ସଂଗ୍ରହ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ସ୍ଥାନୀୟ ହିଞ୍ଜିଳି କାଟୁ ଯୋଗାଣ ବିଭାଗ ପକ୍ଷରୁ ଖରିଫ ଋତୁ ୨୦୨୨-୨୩ ନିମନ୍ତେ ଧାନ କ୍ରୟ ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା । ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବ୍ଲକ ବିଡ଼ିଓ ସୁବ୍ରତ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଉପ ସହକାରୀ ନିବନ୍ଧକ,ସମବାୟ ସମିତି ସମୂହ ଛତ୍ରପୁରର ଏରିଆ ଅଧିକାରୀ ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିନାୟକ,ଏବିଡ଼ିଓ ଅରୁଣ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଚଳିତ ଖରିଫ ଋତୁରେ ସ୍ଥାନୀୟ ବ୍ଲକ ଓ ପୌରାଞ୍ଚଳରେ ସମୁଦାୟ ୭୦୭୫ ଜଣ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ନାମ ପଞ୍ଜିକରଣ କରିଛନ୍ତି ।

ଚଳିତ ଥର କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ହିସାବରେ ଚାଷୀଙ୍କୁ ପ୍ରଦାନ କରାଯିବା ନିମନ୍ତେ ସ୍ଥିର ହୋଇଛି।ହିଞ୍ଜିଳି ବ୍ଲକର ୨୦ ଟି ସେବା ସମବାୟ ସମିତି,ଦେବୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ପୋଚିଲିମ୍ମା,ଡି ପାଟପୁର ଏବଂ ଗୋପାଳେଶ୍ୱର ପାଣି ପଞ୍ଚାୟତ, ଏଭଳି ସମୁଦାୟ ୨୨ଟି ସଂସ୍ଥା ଧାନ ସଂଗ୍ରହ ପ୍ରକ୍ରିୟାରେ ନିୟୋଜିତ ହେବା ସ୍ଥିରୀକୃତ ହୋଇଛି ।ଏଥି ସହିତ ୨୭ଜଣ ମିଲର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଯୋଗାଣ ନିରୀକ୍ଷକ ସୂଚନା ଦେଇଥିଲେ । ଚାଷୀ ଯେଭଳି ଅଭାବୀ ଧାନ ବିକ୍ରି ର ସମ୍ମୁଖୀନ ନ ହେବେ ସେଥିପ୍ରତି ଯତ୍ନବାନ ହେବା ପାଇଁ ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ । ଚାଷୀ ମାନଙ୍କ ହିତ ଦୃଷ୍ଟିରୁ ଆଗୁଆ ପଦକ୍ଷେପ ସ୍ୱରୂପ ବୈଠକ ଆୟୋଜନ କରିବା ସହ ସଚେତନତା ସୃଷ୍ଟି କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯେଭଳି ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ , ମିଲର ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଧାନ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବା ଏକ ନୋଡାଲ ଟିମ ଗଠିତ ହୋଇଛି । ଏହି ଟିମ ଧାନ ସଂଗ୍ରହ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସୁନିୟନ୍ତ୍ରିତ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସ୍ଥିର ହୋଇଛି ।