ପାକିସ୍ତାନ : ପାକିସ୍ତାନରେ ଆଜି ସକାଳେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଖାଇବର ପଖତୁନଖ୍ବାବା ପ୍ରଦେଶରେ ନିର୍ମାଣାଧିନ ଦାସୁ ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟକୁ ଯାଉଥିବା ଏକ ବସରେ ଆଇଇଡି ବିସ୍ଫୋରଣ ହେବାରୁ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ୯ ଜଣ ଚୀନ ଇଂଜିନିୟର ଥିବା ଜଣାପଡ଼ିଛି । ବସରେ ୩୦ ଜଣ ଇଞ୍ଜିନିୟର ଓ କର୍ମଚାରୀ ଥିଲେ । ଏହି ବସର ସୁରକ୍ଷା ଦାୟିତ୍ୱ ପାକିସ୍ତାନୀ ସୈନ୍ୟ ହାତରେ ଥିଲା । ହଠାତ୍ ବସରେ ବିସ୍ଫୋରଣ ହୋଇଥିଲା । ତେବେ ବସରେ ଥିବା ଆଉ କିଛି ଯାତ୍ରୀ ଆହତ ହୋଇଛନ୍ତି ଓ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏବେ ବି ଜଣେ ଚୀନ ଇଂଜିନିୟର ଓ ଜଣେ ଯବାନ ନିଖୋଜ ଅଛନ୍ତି ।ଏହି ଘଟଣା ପାଇଁ ଏପର୍ୟ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ବିସ୍ଫୋରଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।