ରାଜ୍ୟସଭାରେ ଉପସ୍ଥିତ ରହୁନାହାନ୍ତି ବିଜେପି ସାଂସଦ ମୋଦି ଖପ୍ପା

0

ନୂଆଦିଲ୍ଲୀ: ସୋମବାର ଦିନ ରାଜ୍ୟସଭାରେ ଏକ ବିଲ ଆଗତ ବେଳେ କିଛି ବିଜେପି ସାଂସଦ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଖପ୍ପା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାରଣ ମୋଦୀ ଦଳର ସାଂସଦମାନଙ୍କୁ ଗୃହରେ ସର୍ବଦା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥାନ୍ତି । ଗୃହରେ ଏକ ଗୁରୁତ୍ବପୂର୍ଣ୍ଣ ବିଲକୁ ନେଇ ଆଲୋଚନା ଚାଲିଥିବା ବେଳେ ଉପସ୍ଥିତ ନଥିଲେ କିଛି ବିଜେପି ସାଂସଦ । ଏହି ପ୍ରସଙ୍ଗକୁ ନେଇ ମୋଦି ଅସନ୍ତୋଷ ପ୍ରକାଶ କରିବା ସହ ଅନୁପସ୍ଥିତ ରହୁଥିବା ସାଂସଦଙ୍କ ନାଁ ମାଗିଛନ୍ତି। ସୋମବାର ରାଜ୍ୟସଭାରେ ବିଜେପିର ଏକାଧିକ ସାଂସଦ ଅନୁପସ୍ଥିତ ଥିଲେ। ଦଳ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆଣୁଥିବା ବେଳେ ବିଜେପି ସାଂସଦଙ୍କ ଅନୁପସ୍ଥିତି କେନ୍ଦ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି କାରଣରୁ ମୋଦି ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ମଙ୍ଗଳବାର ଗୃହ କାର୍ୟ୍ୟ ଆରମ୍ଭ ହେବା ପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକ ହୋଇଥିଲା । ଏହି ବୈଠକରେ ପିଏମ୍ ମୋଦି ମଧ୍ୟ ଉପସ୍ଥିତ ଥିଲେ । ସୋମବାର ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧିକରଣ ସୁଧାର ବିଧେୟକ ୨୦୨୧ ବିଲ୍ ଉପସ୍ଥାପିତ କରୁଥିଲେ । କିନ୍ତୁ ବିରୋଧୀମାନେ ଏହି ବିଲ୍କୁ ବିରୋଧ କରିଥିଲେ । ଏହା ସହିତ ଉକ୍ତ ବିଲ୍କୁ ସିଲେକ୍ସନ୍ କମିଟିକୁ ପଠାଇବା ପାଇଁ ଦାବି କରିଥିଲେ ।