ଝାରପଡା ଜେଲରେ ରାତି କାଟିଲେ ବିଜେପି ନେତା, ଜଗାଙ୍କ ବିରୋଧରେ ଲାଗିଛି ୧୧ ଦଫା

0

ଭୁବନେଶ୍ଵର: ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ମାରିବା ଅଭିଯୋଗରେ ଗତ କାଲି ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ଜଗନ୍ନାଥ ପ୍ରଧାନ । ବର୍ତ୍ତମାନ ତାଙ୍କୁ ଝାରପଡା ଜେଲକୁ ନିଆଯାଇଛି । କୋର୍ଟ ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର କରିବା ପରେ ତାଙ୍କୁ ଜେଲ୍ ପଠାଯାଇଛି । ଜଗନ୍ନାଥଙ୍କ ବିରୋଧରେ ଲାଗିଛି ୧୧ଟି ଦଫା । ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଦଫା- ୩୩୩ ଓ ୧୩୨ ଲାଗିଛି । ଏହା ସହ ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ୧୯୦/୩(୫) ଦଫା ମଧ୍ୟ ଲାଗିଛି ।

ତେବେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଝାରପଡ଼ା ଜେଲରେ ରାତି କଟାଇଛନ୍ତି ଜଗନ୍ନାଥ । ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ଯାଇଥିବା ନେଇ ସୂଚନା ମିଳିଛି । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଜଗା ପ୍ରଧାନ । ସେପଟେ ସେସନ୍ସ କୋର୍ଟକୁ ଯିବୁ କହିଛନ୍ତି ଜଗନ୍ନାଥ ପ୍ରଧାନଙ୍କ ଓକିଲ ।

ସୂଚନାଯୋଗ୍ୟ, ଗତକିଛି ଦିନ ହେବ BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଲାଗି ରହିଥିଲା ହଟଚମଟ । ଗତକାଲି ରାତି ପ୍ରାୟ ୯ଟା ସମୟରେ ଡିସିପି ଅଭିମୁଖେ ବାହାରିଥିଲେ ଜଗନ୍ନାଥ ପ୍ରଧାନ । ଡିସିପି ଅଫିସ ଯାଇ ସେଠାରେ ଜଗା ପ୍ରଧାନ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଥିଲେ । ତେବେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଥିବା ନେଇ ସୂଚନା ଦେଇଥିଲେ ଡିସିପି । FIR ଓ ପୀଡ଼ିତଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଉକ୍ତ ଘଟଣାରେ ୫ ଜଣ ଗିରଫ ହୋଇଥିବା ବେଳେ ଜଗନ୍ନାଥ ପ୍ରଧାନ ଷଷ୍ଠ ଅଭିଯୁକ୍ତ ଭାବେ ଗିରଫ ହୋଇଛନ୍ତି । ଗିରଫ ପରେ ତାଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା । ସେଠାରୁ ସିଧା ସଳଖ ତାଙ୍କୁ SDJM କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କର ଜାମିନ ନାମଞ୍ଜୁର କରାଯିବା ପରେ ତାଙ୍କୁ ଝାରପଡା ଜେଲରେ ରହିବାକୁ ପଡିଥିଲା ।