ଭୁବନେଶ୍ଵର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବା ଘୋଷଣାକୁ ନେଇ ତେଜୁଛି ରାଜନୀତି । ନବୀନଙ୍କୁ ଆକ୍ଷେପ କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଟାର୍ଗେଟ୍ କରି ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ନବୀନ ବାବୁ ବହୁତ ଧନୀ ଲୋକ । ଏ ସବୁ ଡ୍ରାମା କରୁଛନ୍ତି ନବୀନ । ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି, ତଦନ୍ତ ହେବା ଦରକାର । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି । ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କର ସମର୍ଥନ ରହିଥିଲା । ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା । ବିଧାନସଭାରେ ନବୀନ ବାବୁ କାହିଁକି ରହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ବିଧାନସଭା ଅଧିବେଶନ ଆଲୋଚନାରେ ଭାଗ ନେଇ ପାରିଥାନ୍ତେ । ବିରୋଧ କରିଥିଲେ, ସରକାର ବିଲ୍କୁ ପ୍ରତ୍ୟାହାର କରି ନେଇଥାନ୍ତେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

ସେପଟେ ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେଭି ସିଂ । ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା । କାହିଁକି ଆସିଲେ ନାହିଁ, କାହିଁକି ତାଙ୍କ ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ, କେବଳ ରାଜନୀତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେହିପରି ବର୍ଦ୍ଧିତ ଦରମାକୁ ନବୀନଙ୍କ ନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ୍କୁ ବିଜେଡି କାହିଁକି ସମର୍ଥନ କଲା ପଚାରିଲେ ପବିତ୍ର । ବିରୋଧୀଦଳ ନେତା ବର୍ଦ୍ଧିତ ଦରମା ନ ନେବା ଘୋଷଣା ବିଜେଡିର ଦୋମୁହାଁ ନୀତି । ବିଜେଡି ସଦସ୍ୟ ଓ ବିରୋଧୀଦଳ ମୁଖ୍ୟ ସଚେତକ ବିଲକୁ ସମର୍ଥନ କରିଥିଲେ । ପଲିଟିକାଲ୍ ଷ୍ଟଣ୍ଟ ପାଇଁ ଦରମା ନେବି ନାହିଁ ବୋଲି ନବୀନ କହୁଛନ୍ତି । ବିରୋଧୀଦଳ ନେତାଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅଛି । ସେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ପୂର୍ବତନ ବିଧାୟକମାନଙ୍କ ପାଇଁ ବର୍ଦ୍ଧିତ ଦରମା ଏକ ବରଦାନ ସଦୃଶ । ନବୀନ ବାବୁ ଦୋମୁହାଁ ନୀତି ନ କରି ସରକାରଙ୍କୁ ସ୍ୱାଗତ କଲେ ଭଲ ହେବ । ତାଙ୍କ ଦଳ ନେତା କହୁଛନ୍ତି ଦରମା ବଢିବା ଠିକ୍, କାରଣ ପଇସା ନାହିଁ । ନବୀନ ଦଳ ଭିତରେ ପ୍ରଥମେ ଆଲୋଚନା କରି ସାମ୍ନାକୁ ଆସନ୍ତୁ ବୋଲି କହିଛନ୍ତି ପବିତ୍ର ।