ବିଜେଡି ପଦ୍ମପୁର ଉପ-ନିର୍ବାଚନ ପାଇଁ ବର୍ଷାରାଣୀ ବରିହା ପ୍ରାର୍ଥୀ

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ ):ବାପାଙ୍କ ଭଲ କାମ ପାଇଁ ମୋତେ ବାଛିଲା ବିଜେଡି ପଦ୍ମପୁର ଉପ-ନିର୍ବାଚନ ପାଇଁ ବର୍ଷାରାଣୀ ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏହାସହ ବିଜେଡି ଟିକେଟରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାାରାଣୀଙ୍କୁ ପ୍ରାର୍ଥୀ କରି ପୁଣିଥରେ ମହିଳା କାର୍ଡ ଖେଳିଛି ବିଜେଡି । ଅନ୍ୟପଟେ ବିଜେଡିରୁ ପ୍ରାର୍ଥୀ ହେବା ପରେ ବର୍ଷାରାଣୀ ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ଭରସା ଓ ବିଶ୍ୱାସ କରି ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସେହିଭଳି ଟିକେଟ ରେସରେ ସେ ନଥିଲେ, କିନ୍ତୁ ବାପା କିଛି ଭଲ କାମ କରିଥିବାରୁ ପରିବାରରୁ ମୋତେ ଚୟନ କରିଛନ୍ତି ବୋଲି କହିଛନ୍ତି ବର୍ଷାରାଣୀ ।

ବିଜେଡି ଟିକେଟ ହାତେଇଥିବା ବର୍ଷାରାଣୀ ହେଉଛନ୍ତି ବିଜେପି ନେତା ରମାରଞ୍ଜନ ବଳୀୟାରସିଂଙ୍କ ବୋହୂ । ତେଣୁ ବିଜେଡିରୁ ପ୍ରାର୍ଥୀ ହେବା ପୂର୍ବରୁ ଉଭୟ ପରିବାର ଭିତରେ ଆଲୋଚନା ହୋଇଥିବା କଥା କହିଛନ୍ତି ବର୍ଷାରାଣୀ । କିନ୍ତୁ ଏଥିପାଇଁ କେହି ମୋତେ ବାଧ୍ୟ କରିନାହାନ୍ତି । ଉଭୟ ପରିବାରର ଆଶୀର୍ବାଦ ମୋ ସହ ରହିଛି । ମୋ ନିଷ୍ପତ୍ତିରେ ଉଭୟ ପରିବାର ସହମତି ଜଣାଇଛନ୍ତି…ଏହାପୂର୍ବରୁ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ମୈଦାନକୁ ଓହ୍ଲାଇଛି । ପ୍ରଦୀପ ଆଜି ନାମାଙ୍କନପତ୍ର ଦାଖଲ କରିବାକୁ ପହଞ୍ଚିଥିବା ବେଳେ ବର୍ଷାରାଣୀ ଆସନ୍ତା ୧୬ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ତେବେ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆଗକୁ ଲଢେଇ ରୋଚକ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।