ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଉତ୍କଳ ସାମ୍ବାଦିକ ସଂଘ, ଗଜପତି ଶାଖା ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ତାୟତଙ୍କ ଜୟନ୍ତୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦିଜେନ୍ଦ୍ର ନାଥ ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ବକ୍ସି,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ବଜ ଚୌଧୁରୀ, ଉତ୍କଳ ସାମ୍ବାଦିକ ସଂଘର ସମ୍ପାଦକ ସରୋଜ କୁମାର ବୀର ଏବଂ ସ୍ୱର୍ଗତ ଗନ୍ତାୟତଙ୍କ ସୁପୁତ୍ର ବିବେକାନନ୍ଦ ଗନ୍ତାୟତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସ୍ବର୍ଗତ ଗନ୍ତାୟତଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅତିଥିମାନେ ସାମ୍ବାଦିକ ସ୍ୱର୍ଗତ ନବୀନାନନ୍ଦ ଗନ୍ତାୟତଙ୍କ ଭୂୟସୀ ପ୍ରଶଂସା କରିଛନ୍ତି। ସ୍ୱର୍ଗତ ଗନ୍ତାୟତ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ୨୦୨୦ ମସିହାରେ କରୋନାରେ ପିଡ଼ୀତ ହୋଇ ଇହଧାମ ତ୍ୟାଗ କରିଥିଲେ।
୧୯୭୨ ମସିହାରେ ଭାରତୀୟ ବାୟୁସେନାରୁ ଅବସର ନେବା ପରେ ସେ ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସାମ୍ବାଦିକତାକୁ ନିଜର ପେଶା ଭାବେ ଆବୋରି ନେଇଥିଲେ। ସେ ସର୍ବଦା ପାରଳାର ବିକାଶ ପାଇଁ ନିଜ କଲମର ସୁବ୍ୟବହାର କରି ପ୍ରଶାସନ ନିକଟରେ ଜନସାଧାରଣଙ୍କର ଦାବିକୁ ଉପସ୍ଥାପନ କରୁଥିଲେ। ସେ ଦୈନିକ ଖବରକାଗଜ ପ୍ରଜାତନ୍ତ୍ର, ଦୈନିକ ଆଶା ଓ ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ପାଇଁ ସାମ୍ବାଦିକତା କରି ସମଗ୍ର ପାରଳାଖେମୁଣ୍ଡିର ଘରେ ଘରେ ଆଦୃତ ହୋଇପାରିଥିଲେ। ସେ ସାମ୍ବାଦିକ ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସମ୍ବାଦପତ୍ର ବିତରକ ପ୍ରସାଦ ଚନ୍ଦ୍ର ଗୌଡ଼ ଙ୍କୁ ନବିନାନନ୍ଦ ଗନ୍ତାୟତ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।ଶେଷରେ ସରୋଜ ବୀର ଧନ୍ୟବାଦ ଅର୍ପଣ କରିଥିଲେ।