ରାଜଧାନୀବାସୀଙ୍କୁ ମେୟର ସୁଲୋଚନା ଦାସଙ୍କ ତାଗିଦ: ମାସ୍କ ନ ପିନ୍ଧିଲେ କଟାଯିବ ଫାଇନ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲା ମହାମାରୀ କରୋନା। ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୦୦ ପାର୍ କରିଛି। ଯାହାଫଳରେ ରେଡ଼ ଜୋନକୁ ଆସିଛି ତିନି ଜିଲ୍ଲା ଖୋର୍ଦ୍ଧା, କଟକ ଏବଂ ପୁରୀ। ଖୋର୍ଦ୍ଧାରେ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବା ପରେ ରାଜଧାନୀ ଭୁବନେଶ୍ବରରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ବିଏମସି।

ଏଣିକି ମାସ୍କ ନ ପିନ୍ଧିଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବ ଭଳି ମାସ୍କ କଟକଣା ନ ମାନିଲେ କଟାଯିବ ଫାଇନ । ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣ ଦେଖି ରାଜଧାନୀ ବାସୀଙ୍କୁ ତାଗିଦ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଏହା ସହ କୋଭିଡ କଟକଣାକୁ ସଠିକ୍‌ ଭାବେ ପାଳନ କରିବା ଲାଗି ସମସ୍ତ ରାଜଧାନୀ ବାସୀଙ୍କୁ ହାତଯୋଡ଼ି ନିବେଦନ ମଧ୍ୟ କରିଛନ୍ତି ।

ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୫୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକ ଜିଲ୍ଲାରୁ ୮୯ ଓ ପୁରୀ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୨୭୯୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।ତେବେ ଗତ କିଛିଦିନ ହେବ ଖୋର୍ଦ୍ଧା ଜିଲ୍ଲାରୁ ଭୁବନେଶ୍ୱରରେ ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି । ତେଣୁ ଲଗାତର ଭାବେ ସଂକ୍ରମିତ ଚିହ୍ନଟ ହେଉଥିବା ନେଇ ଆକ୍ସନକୁ ଆସିଛି ବିଏମ୍‌ସି ।