ଆଜିଠୁ ଭୁବନେଶ୍ୱର ଦୁବାଇ ବିମାନ ସେବା

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ।

ଭୁବନେଶ୍ୱର:ଆଜିରୁ ଆରମ୍ଭ ହୋଇଛି ଭୁବନେଶ୍ୱରରୁ ସିଧା ଦୁବାଇ ବିମାନ ସେବା । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ, ଆର୍ଥିକ ସହଯୋଗ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ।
ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଉକ୍ତ ବିମାନରେ ପ୍ରମୁଖ ବିଭାଗର ଅଧିକାରୀ, ମିଶନଶକ୍ତି ମହିଳା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ବୈଜ୍ଞାନିକମାନଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ମଧ୍ୟ ଗସ୍ତ କରିବେ। ମଙ୍ଗଳବାର ଦୁବାଇରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ କାର୍ୟ୍ୟକ୍ରମର ଆୟୋଜନ ହୋଇଛି। ଦୁବାଇରୁ ଆସୁଥିବା ଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ଉପସ୍ଥିତ ରହିବେ।
ଭୁବନେଶ୍ୱର-ଦୁବାଇ ମଧ୍ୟରେ ଯିବା ଆସିବା ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ଧାର୍ୟ୍ୟ କରାଯାଇଛି। ସପ୍ତାହରେ ତିନି ଦିନ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ କରିବ। ସୋମବାର, ବୁଧବାର ଓ ଶୁକ୍ରବାର ଦିନ ବିମାନ ଚଳାଚଳ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨କୁ ପ୍ରସ୍ତୁତ କରାଯାଇଛି।