ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର–ଦୁବାଇ ସିଧାସଳଖ ବିମାନ ସେବାକୁ ବାତିଲ୍ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଯ୍ୟାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ। ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନକୁ ବାତିଲ୍ କରାଯାଇଛି। ବୁଧବାରର ବିମାନ ଚାଲିବ କି ନାହିଁ, ସେଥିପାଇଁ କାଲିର ପରିସ୍ଥିତି ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। କାଲି ଅଧିକୃତ ଅପଡେଟ୍ ପରେ ପରବର୍ତ୍ତୀ ସୂଚନା ଦିଆଯିବ।
ଭୁବନେଶ୍ୱରରୁ ଦୁବାଇକୁ ସୋମବାର, ବୁଧବାର ଓ ଶୁକ୍ରବାର ସିଧାସଳଖ ବିମାନ ସେବା ଚାଲୁଥାଏ। ଆଜି ମଧ୍ୟ ବିମାନ ଯିବାର ସିଡ୍ୟୁଲ ଥିଲା, କିନ୍ତୁ ରବିବାର ଏହାକୁ ବାତିଲ୍ କରାଯାଇଛି। ଏୟାର ସ୍ପେସ୍ ଉପଲବ୍ଧ ନଥିବାରୁ ମଧ୍ୟପୂର୍ବ ଅଞ୍ଚଳ ପାଇଁ ବିମାନ ସେବା ବନ୍ଦ ରହିଛି। ଆବୁଧାବି ଓ ମସ୍କଟ୍ ଗମନମାର୍ଗରେ ମଧ୍ୟ ଏୟାର ସ୍ପେସ୍ ସମସ୍ୟା ରହିଛି ବୋଲି ସୂଚନା ମିଳିଛି। ଗତ ଶୁକ୍ରବାର ଦିନ ଭୁବନେଶ୍ୱରରୁ ଦୁବାଇକୁ ଶେଷ ବିମାନ ଉଡ଼ିଥିଲା। ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ବିମାନ ସେବାକୁ ସାମୟିକ ଭାବେ ବାତିଲ୍ କରାଯାଇଛି। ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ସହିତ ସମ୍ପର୍କରେ ରହି ନବୀନତମ ସୂଚନା ନେବାକୁ ପରାମର୍ଶ ଦିଆଯାଇଛି।