୨୭ ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା

ଚଳିତ ମାସ ୨୭ ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କୃଷି ଆଇନ ସମ୍ପୂର୍ଣ୍ଣ ରଦ୍ଦ ଦାବିରେ ଏହି ବନ୍ଦ ପାଳନ କରାଯିବ ।

(ଦିଲ୍ଲୀ) : ଚଳିତ ମାସ ୨୭ ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କୃଷି ଆଇନ ସମ୍ପୂର୍ଣ୍ଣ ରଦ୍ଦ ଦାବିରେ ଏହି ବନ୍ଦ ପାଳନ କରାଯିବ । ଆଜି ଉତ୍ତରପ୍ରଦେଶର ମୁଜାଫରନଗରରେ ଆୟୋଜିତ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌)ର ମହାପଞ୍ଚାୟତରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ , ଦେଶର ବିଭିନ୍ନ ରାଜ୍ୟରୁ ୩୦୦ କୃଷକ ସଙ୍ଗଠନର ପ୍ରତିନିଧି ଏଥିରେ ଯୋଗଦେଇଥିଲେ । ଏଥିସହ ଆସନ୍ତା ୭ରେ ହରିଆଣାର କର୍ଣ୍ଣାଲ ଜିଲ୍ଲାରେ ମହାପଞ୍ଚାୟତ କରାଯିବ । ଗତ ଅଗଷ୍ଟ ୨୮ରେ ସେଠାରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ପୁଲିସର ଲାଠିମାଡ଼ ପ୍ରତିବାଦରେ ଏହି ମହାପଞ୍ଚାୟତ ଡକାଯାଉଛି । ସେହିଭଳି ଆସନ୍ତା ୯ ଓ ୧୦ରେ ଲକ୍ଷ୍ନୌରେ କୃଷକ ବୈଠକ ଏବଂ ୧୫ରେ ଜୟପୁରରେ କୃଷକ ସଂସଦର ଆୟୋଜନ କରାଯିବ ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି । କୃଷି ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ସ୍ଥଳରୁ ହଟିବେ ନାହିଁ ବୋଲି ସେ କହିଛନ୍ତ।