ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାଵେ ଭାଗ୍ୟରଥୀ ମହାନ୍ତି ବିଇଓ କାର୍ୟ୍ୟାଳୟରେ ଯୋଗଦାନ କରିଛନ୍ତି । ଭାରାପ୍ରାପ୍ତ ବିଇଓ ସଦାନନ୍ଦ ମହାନ୍ତ, ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ, ଏବିଇଓ ନମିତା ସେଠୀ, ଵିଆରସିସି, ସିଆରସିସି, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଶିକ୍ଷାଦାନ, ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟ ପରିବେଶ, ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କର ସମସ୍ୟାକୁ ପ୍ରାଥମିକ ଗୁରୁତ୍ଵ ଦେବେ ବୋଲି କହିଛନ୍ତି । ଭାରାପ୍ରାପ୍ତ ବିଇଓ ସଦାନନ୍ଦ ମହାନ୍ତ ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ବିଇଓ ଶ୍ରୀ ମହାନ୍ତି ଏହା ପୂର୍ବରୁ ଠାକୁରମୁଣ୍ଡାର ଵିଆରସିସି ଏବଂ ଏବିଇଓର ଦାୟିତ୍ଵ ନିଷ୍ଠାର ସହ ତୁଲାଇଛନ୍ତି । ୮ ମାସ ପାଇଁ ଦାୟିତ୍ବରେ ରହି ୨୦୨୪ ମସିହା ଫେବୃଆରୀ ମାସରେ ସେ ସେବା ନିବୃତ ହେବେ ।
ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ୟ୍ୟାଳୟ ପାଲଟିଛି ଥଇଥାନ କେନ୍ଦ୍ର । ଯେଉଁ ଅଧିକାରୀମାନଙ୍କର ଅଳ୍ପ ମାସ ଚାକିରୀ ଥିବ ସେମାନଙ୍କୁ ଏଠାରେ ଥଇଥାନ କରାଯାଉଛି । ଯାହା ଫଳରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ କାମ ବାଧାପ୍ରାପ୍ତ ହେଉଛି । ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭକରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ୨୦୨୧ ମସିହା ସେପ୍ଟେମ୍ବର ୩୦ ତାରିଖରେ ବଦଳି ହେବାପରେ ଅକ୍ଟୋବର ମାସରେ ଅଖିଳ ଚନ୍ଦ୍ର ପ୍ରଧାନ ଯୋଗଦାନ କରି ୩ ମାସ କାମ କରି ଜାନୁଆରୀରେ ଅବସର ନେଇଥିଲେ । ପରେ ଯାମଦା ଗୋଷ୍ଠୀ ଶିକ୍ଷାଧିକାରୀ ରାଇରଙ୍ଗପୁର ଓ ଯାମଦାର ଦୈତ୍ୟ ଦାୟିତ୍ଵ ନିର୍ବାହ କରିଥିଲେ । ଏବେ ଭାଗ୍ୟରଥୀ ମହାନ୍ତି ଯୋଗଦାନର ୮ ମାସ ପରେ ଅବସର ଗ୍ରହଣ କରିବେ। ଏହାକୁ ନେଇ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଚିନ୍ତାରେ ଅଛନ୍ତି ।