ଏଣିକି ମାସକୁ ୧୨ ଦିନ ସ୍କୁଲ ପରିଦର୍ଶନରେ ଯିବେ ବିଇଓ

ରାଉରକେଲା: ଏଣିକି ୧୨ ଦିନ ସ୍କୁଲ ବୁଲିବା ବାଧ୍ୟତାମୂଳକ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ବିଇଓମାନେ ନିଜ କର୍ତ୍ତବ୍ୟରେ ଘୋର୍ ଅବହେଳା କରୁଛନ୍ତି। ଫଳରେ କ୍ରମଶଃ ସରକାରୀ ସ୍କୁଲରେ ଶିକ୍ଷାର ମାନ ଆଶାତୀତଭାବେ ହ୍ରାସ ପାଉଥିବାବେଳେ ଫଳାଫଳ ମଧ୍ୟ ନିମ୍ନଗାମୀ ରହୁଛି।

ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ବିଇଓମାନେ ନିୟମିତଭାବେ ସ୍କୁଲ ନିରୀକ୍ଷଣରେ ଯାଉନାହାନ୍ତି। ଯଦ୍ବାରା ଶିକ୍ଷାଦାନ ଓ ଆନୁସଙ୍ଗିକ ବ୍ୟବସ୍ଥାରେ ବିକାଶ ଘଟୁନି। ଏଣୁ ଏଥର ବିଇଓମାନେ ନିୟମିତ ବ୍ୟବଧାନରେ ସ୍କୁଲ ପରିଦର୍ଶନରେ ଯିବେ । ଆଉ ଏହାର ଖିଲାପ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି ଅବ୍ୟବସ୍ଥା ଲାଗିରହିଛି। ବିଇଓମାନେ କେବଳ ସହରିଆ ଅଞ୍ଚଳର ସ୍କୁଲକୁ କାଁ ଭାଁ ପରିଦର୍ଶନରେ ଯାଉଥିବାବେଳେ ଉପାନ୍ତ ଅଞ୍ଚଳରେ ଥିବା ସ୍କୁଲକୁ ଯିବାକୁ କିନ୍ତୁ ଅମଙ୍ଗ ହେଉଛନ୍ତି। ଏତଦ୍ବ୍ୟତୀତ, ଜିଲ୍ଲାର ୧୭ଟି ବ୍ଲକ ମଧ୍ୟରୁ ୨ଟି ବ୍ଲକରେ ଗୋଷ୍ଠି ଶିକ୍ଷାଧିକାରୀ ନାହାନ୍ତି। ସେଗୁଡ଼ିକ ହେଲା ବିଶ୍ରା ଓ କୁତ୍ରା ବ୍ଲକ। ଏହି ଦୁଇ ବ୍ଲକରେ ଶିକ୍ଷାବିଭାଗ କାମଚଳା ନୀତି ଆପଣେଇଛି।

ଅତିରିକ୍ତ ଦାୟିତ୍ବରେ ଥିବା ଅଧିକାରୀ ଆଦୌ ସ୍କୁଲର ପାଦ ମାଡ଼ୁନଥିବା ଅଭିଯୋଗ ହେଉଛି। ଫଳରେ ଶିକ୍ଷକଶିକ୍ଷୟିତ୍ରୀ ମନଇଚ୍ଛା ସ୍କୁଲକୁ ଆସୁଥିବାବେଳେ ଶିକ୍ଷାଦାନ ବହୁମାତ୍ରାରେ ପ୍ରଭାବିତ ହେଉଛି।