ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର:  ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ଆଜି ରାଜ୍ୟରେ ବସିଲା ସର୍ବଦଳୀୟ ବୈଠକ । ତେବେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ । ମାର୍ଚ୍ଚ ୨୫, ୨୬ ଓ ୨୮ ତାରିଖ ତିନିଦିନ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିସ୍ତୃତ ଭାବରେ ଆଲୋଚନା ହେବ ।

ବଜେଟ ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୩୦ରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ବସିବ ବୋଲି ସୂଚନା ମିଳିଛି । ଏଥିରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଉପସ୍ଥିତ ରହି ନିଷ୍ପତ୍ତି ନେବେ । ମାର୍ଚ୍ଚ ୩୦ ତାରିଖରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ।

ଅନ୍ୟପକ୍ଷେ, ସ୍ୱଳ୍ପ ସମୟ ମଧ୍ୟରେ ବଜେଟ ଅଧିବେଶନ କିପରି ସୁରୁଖୁରୁରେ ପରିଚାଳିତ ହେବ ସେସବୁ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ । ଏହିସମସ୍ତ ଦିଗ ଉପରେ ଆଜି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇପାରେ । ପ୍ରାୟତଃ ବିଧାନସଭା ଆରମ୍ଭର ଦୁଇ ଦିନ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଥାଏ । ହେଲେ ପୌର ନିର୍ବାଚନ କାରଣରୁ ଏହି ବୈଠକ ଶୀଘ୍ର ବସୁଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ପୌର ଓ ମହାନଗର ନିଗମ ନିର୍ବାଚନ ପାଇଁ ବିଧାୟକ ବ୍ୟସ୍ତ ରହୁଥିବାରୁ ୧୦ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି । ଏହା ସହ ୩୧ ତାରିଖ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ପାରିତ ନହୋଇ ଭୋଟ୍ ଅନ୍ ଆକାଉଣ୍ଟ ଜରିଆରେ କାମଚଳା ବଜେଟ୍ ପାରିତ ହେବ । ତେବେ କୋଭିଡ ସଂକ୍ରମଣକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଧାୟକମାନେ ସାମାଜିକ ଦୂରତା କିପରି ଅବଲମ୍ବନ କରିବେ, ସେନେଇ ସ୍ୱାସ୍ଥ୍ୟ ବିଭାଗ ଓ ଅଧିକାରୀଙ୍କ ସହ ଆଲୋଚନା ପରେ ଜରୁରି ନିଷ୍ପତ୍ତି ନିଆଯିବ ।