ଅଟାରୀ-ୱାଘା ସୀମାରେ ବିଟିଂ ରିଟ୍ରିଟ୍‌ ଉତ୍ସବ, ଜାଣନ୍ତୁ କାହିଁକି ପାଳନ ହୁଏ ଏହି ସମାରୋହ

ନୂଆଦିଲ୍ଲୀ: ଆଜି ଦେଶ ପାଳିଛି ୭୭ ତମ ଗଣତନ୍ତ୍ର ଦିବସ । ଦିଲ୍ଲୀର କର୍ତ୍ତବ୍ୟ ପଥରେ ବେଶ୍ ଧୁମଧାମରେ ପାଳନ କରାଯାଇଛି ଗଣତନ୍ତ୍ର ଦିବସ । ତିନି ସେନାର ମିଳିତ ପରେଡ ସହ ସବୁ ରାଜ୍ୟର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥର ଶୋଭା ବଢାଇଛି । ଏହାପରେ ଅଟାରୀ-ୱାଘା ସୀମାରେ ସେନାମାନେ ସିଂହ ରଡି ଛାଡିଛନ୍ତି । ଅର୍ଥାତ୍ ବିଟିଂ ରିଟ୍ରିଟ୍ କାର୍ଯ୍ୟକ୍ରମ ସମାପ୍ତ ହୋଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି କାହିଁକି ଗଣତନ୍ତ୍ର ଦିବସର ଅପରାହ୍ନରେ ସୀମାରେ ଏହି ସମାରୋହ ଅନୁଷ୍ଠିତ ହୁଏ..

ଭାରତରେ ଗଣତନ୍ତ୍ର ଦିବସ ପାଳନର ଶେଷରେ ବିଟିଙ୍ଗ୍ ରିଟ୍ରିଟ୍ କାର୍ଯ୍ୟକ୍ରମ କରାଯାଏ । ବାସ୍ତବରେ ପୂର୍ବରୁ ସେନାରେ ଏକ ପରମ୍ପରା ରହିଆସିଛି ଯେ, ଯେତେବେଳେ ଯୁଦ୍ଧ ଚାଲିଥାଏ, ଏବଂ ସନ୍ଧ୍ୟା ହୋଇଆସେ ସେତେବେଳେ ଏକ ସ୍ୱତନ୍ତ୍ର ଧ୍ଵନି ବଜାଯାଏ । ଏହି ଧ୍ଵନିର ଶବ୍ଦ ଶୁଣି ସୈନିକମାନେ ନିଜର ଅସ୍ତ୍ରଶସ୍ତ୍ର ପକାଇ ଯୁଦ୍ଧକ୍ଷେତ୍ରରୁ ଫେରନ୍ତି । ଏହି ପ୍ରକ୍ରିୟାକୁ ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମ କୁହାଯାଏ । ଏହି ପରମ୍ପରା ଭାରତରେ ବ୍ରିଟିଶମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, ଯାହା ଆଜି ବି ଜାରି ରହିଛି । ଏଥିରେ ଭାରତର ତିନୋଟି ସେନା ଅଂଶଗ୍ରହଣ କରନ୍ତି ଏବଂ ପାରମ୍ପାରିକ ଧ୍ଵନୀ ବଜାଉଥିବା ବ୍ୟାଣ୍ଡ ସହିତ ମାର୍ଚ୍ଚ ଫାଷ୍ଟ କରନ୍ତି । ଏହା ଦ୍ଵାରା ଗଣତନ୍ତ୍ର ଦିବସ ପାଳନ ସମାପ୍ତ ହୋଇଛି ବୋଲି ଜଣାପଡେ । ସୈନ୍ୟମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀକୁ ଫେରିବା ପାଇଁ ମଧ୍ୟ ସୂଚିତ କରାଯାଏ ।

ଗଣତନ୍ତ୍ର ଦିବସ ପାଳନ ଶେଷ ହେବା ପରେ ପ୍ରତିବର୍ଷ ୨୯ ଜାନୁଆରୀରେ ଦିଲ୍ଲୀରେ ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସେହି ଦିନ ସନ୍ଧ୍ୟାରେ ବିଜୟ ଚୌକ ଠାରେ ଏହି ସମାରୋହ ଆୟୋଜନ କରିବାର ପରମ୍ପରା ରହିଛି । ଏହି ସମୟରେ, ଗାନ୍ଧୀଙ୍କ ପ୍ରିୟ ଗୀତ ‘ଅବାଇଡ୍ ୱିଥ୍ ମି’ ବଜାଯାଏ । କିନ୍ତୁ ୨୦୨୦ ପରେ ଏହି ଗୀତକୁ ନେଇ ରାଜନୀତି ଉଗ୍ର ହୋଇଥିଲା । ବିବାଦ ଏତେ ମାତ୍ରାରେ ବଢିଥିଲା ଯେ ଶେଷରେ ୨୦୨୨ ମସିହାରେ ଏହି ଗୀତକୁ ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମରେ ବଜାଯିବା ବନ୍ଦ କରାଯାଇଥିଲା ।