ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି ସ୍ୱାଧୀନତା ପାଇଁ ପ୍ରୟାସ କରୁଥିବା ଆନ୍ଦୋଳନକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ବେଲୁଚ ସମ୍ପ୍ରଦାୟର ନେତା ତାରା ଚାନ୍ଦ
ନୂଆଦିଲ୍ଲୀ-: ବେଲୁଚ ସମ୍ପ୍ରଦାୟର ନେତା ତଥା ଆମେରିକୀୟ କଂଗ୍ରେସ ସଦସ୍ୟ ତାରା ଚାନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ସ୍ୱାଧୀନ ବେଲୁଚିସ୍ତାନ ଆନ୍ଦୋଳନ’କୁ ପୂର୍ଣ୍ଣ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି। ଏହି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି ଏବଂ ସ୍ୱାଧୀନତା ପାଇଁ ପ୍ରୟାସ କରୁଥିବା ଆନ୍ଦୋଳନକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।
ବେଲୁଚିସ୍ତାନ ଦୀର୍ଘ ଦିନ ଧରି ସ୍ୱାଧୀନତା ଦାବି କରିଆସୁଛି। ଦଶନ୍ଧି ଧରି ପାକିସ୍ତାନ ଦ୍ୱାରା ବେଲୁଚ୍ ଲୋକଙ୍କ ଉପରେ କରାଯାଉଥିବା ଦମନମୂଳକ ଅତ୍ୟାଚାର, ବଳପୂର୍ବକ ନିଖୋଜ, ନିର୍ଯାତନା ଏବଂ ନରସଂହାର ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି, ବେଲୁଚିସ୍ତାନ ଲୋକମାନେ ପାକିସ୍ତାନ ଦ୍ୱାରା ଅତ୍ୟାଚାର ଏବଂ ନରସଂହାରର ଶିକାର ହୋଇଛନ୍ତି। ଏକ ସ୍ୱାଧୀନ ବେଲୁଚିସ୍ତାନ ଭାରତ ପାଇଁ ଶାନ୍ତି ଏବଂ ସ୍ଥିରତାର ପ୍ରତୀକ ହୋଇପାରିବ। ନ୍ୟାୟର ସମର୍ଥନ ପାଇଁ ଭାରତ ଆମ ସହିତ ଠିଆ ହେଉ ବୋଲି ସେ ଅନୁରୋଧ କରିଛନ୍ତି। ତାରା ଚାନ୍ଦ ଅତୀତରେ ବେଲୁଚିସ୍ତାନ ପ୍ରସଙ୍ଗରେ ଭାରତୀୟ ନେତୃତ୍ୱ ଦେଖାଇଥିବା ଆଗ୍ରହକୁ ପ୍ରଶଂସା କରିଛନ୍ତି। ସେ ବିଶେଷ ଭାବରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ବେଲୁଚିସ୍ତାନର ଉଲ୍ଲେଖକୁ ଗୁରୁତ୍ୱ ଦେଇଥିଲେ, ଯାହାକୁ ସେ ନୈତିକ ସମର୍ଥନର ଏକ ପ୍ରକାଶନ ଭାବରେ ବିବେଚନା କରିଥିଲେ। ସେ କହିଛନ୍ତି ଯେ, ଏହି ସମର୍ଥନ ଦଳିତ ବାଲୁଚ୍ ସମ୍ପ୍ରଦାୟ ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଆଶାର କିରଣ ଆଣିଛି।