ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶାରେ ଆସି ପହଞ୍ଚିଲା ବାଲାଟ୍ ବକ୍ସ ଓ ନିର୍ବାଚନ ସମ୍ପର୍କିତ ସମସ୍ତ ସାମଗ୍ରୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ସାମଗ୍ରୀକୁ କଡା ସୁରକ୍ଷା ବଳୟ ମଧ୍ୟରେ ବିଧାନସଭା ପରିସରରେ ଥିବା ଷ୍ଟ୍ରଂଗରୁମକୁ ନିଆଯାଇଛି । ବିଧାନସଭାର ପ୍ରଥମ ମହଲା ୫୪ ନମ୍ବର ପ୍ରକୋଷ୍ଠରେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ବାଲାଟ୍ ବକ୍ସ ନିର୍ବାଚନ ସମ୍ପର୍କିତ ସାମଗ୍ରୀକୁ ରଖାଯାଇଛି ।
ତେବେ ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀ ବିଧାନସଭା ସଚିବାଳୟକୁ ବାଲାଟ ବକ୍ସ ଅନ୍ୟ ନିର୍ବାଚନ ସାମଗ୍ରୀ ପଠାଯାଇଛି । ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଓଡିଶାର ଝିଅ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି ।