ନେପାଳ ୪୭ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବାଲେନ ଶାହା

ନେପାଳରେ ବାଲେନ ଯୁଗ ଆରମ୍ଭ। ୩୫ ବର୍ଷୀୟ ବାଲେନ ଶାହା ଓରଫ ବାଲେନ ନେପାଳ ୪୭ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସମ୍ବିଧାନର ନିୟମ ଅନୁଯାୟୀ ରାଷ୍ଟ୍ରପତି ରାମ ଚନ୍ଦ୍ର ପାଉଡେଲ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ବାଲେନଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପାଉଡେଲ ଶୁକ୍ରବାର ଦିନ କାଠମାଣ୍ଡୁ ମେଟ୍ରୋପଲିଟାନ ସିଟିର ପୂର୍ବତନ ମେୟର ଶାହ ବାଲେନ ଶାହଙ୍କୁ ସମ୍ବିଧାନର ଧାରା ୭୬(୧) ଅନୁଯାୟୀ ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଶପଥ ଗ୍ରହଣ ସମାରୋହ ରାଷ୍ଟ୍ରପତି ଭବନ, ଶୀତଲ ନିବାସରେ ଅନୁଷ୍ଠିତ ହୋଇଥିଲା। ବାଲେନଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏହି ଶପଥ ଗ୍ରହଣ ସମାରୋହ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ଶୁକ୍ରବାର ଦିନ ୧୨:୩୪ ସମୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବାଲେନ ଶାହ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ହିନ୍ଦୁ ରୀତିନୀତି ଅନୁଯାୟୀ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରାଯାଇଥିଲା। ନେପାଳର ରାଜନୀତିରେ ବାଲେନ୍ ଶାହ ଜଣେ ନାୟକ ଭାବରେ ଉଭା ହୋଇଥିଲେ । ସେ ଜେନ୍-ଜି ଆନ୍ଦୋଳନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯୁବକମାନେ ବାଲେନ୍ଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି କରି ଆସୁଥିଲେ। ସେମାନଙ୍କର ଇଚ୍ଛା ଏବେ ପୂରଣ ହୋଇଛି।