ୟୁପି ସରକାର ସୁପ୍ରିମକୋର୍ଟଙ୍କ ଅବମାନନା କରିଥିବା ଅଭିଯୋଗ ଆଣିଲେ ଆଜମ ଖାନ

ଭୁବନେଶ୍ୱର: ସମାଜବାଦୀ ପାର୍ଟି ନେତା ଆଜମ ଖାନ ଉତ୍ତରପ୍ରଦେଶର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଅବମାନନା କରିଥିବା ଅଭିଯୋଗ କରିଛନ୍ତି। ଏହି ମାମଲାରେ କୋର୍ଟ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ସମାଜବାଦୀ ପାର୍ଟିର ନେତା ଆଜମ ଖାନ ଆଜି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ସରକାର ରାମପୁରର ଜୋହର ବିଶ୍ୱବିଦ୍ୟାଳୟର ରାସ୍ତା ବନ୍ଦ କରିଛନ୍ତି। ତେଣୁ ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ କଷ୍ଟକର ହୋଇପଡ଼ିଛି ଏବଂ ସମସ୍ତ କାମ ବନ୍ଦ ହୋଇଯାଇଛି । ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଦ୍ୱାରକୁ ତାରରେ ବନ୍ଦ କରି ଦିଆଯାଇଛି। ଏହି କାରଣରୁ କେହି ବିଶ୍ୱବିଦ୍ୟାଳୟ ଭିତରକୁ ଯାଇପାରିବେ ନାହିଁ ।

ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ଜୁନ୍ ୨୭ ରେ ବିଶ୍ୱବିଦ୍ୟାଳୟରେ ସ୍ଥିତି ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କର୍ଡନ୍ ଏପରି ଭାବରେ ରଖାଯାଇଛି ଯେ ବିଶ୍ୱବିଦ୍ୟାଳୟ ଯିବା ସମ୍ଭବ ନୁହେଁ। ଏହା ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରୁଛି । ଏହି ପରିପ୍ରେକ୍ଷୀରେ କପିଲ ସିବଲ କୋର୍ଟଙ୍କୁ ଚିତ୍ର ଦର୍ଶାଇଥିଲେ। ଏହାପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ବିଶ୍ୱବିଦ୍ୟାଳୟର କିଛି ଅଂଶ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜୁନ୍ ୨୭ ରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ରାଜ୍ୟ ସରକାରଙ୍କ ଓକିଲ ଆଜି କହିଛନ୍ତି ଯେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ପୂର୍ବରୁ ଏହି ଅବରୋଧ କରାଯାଇଥିଲା। ଅନ୍ୟପଟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ଆଜାମ ଖାନଙ୍କୁ ଲାଗୁଛି ଯେ ଏହା କୋର୍ଟର ଅବମାନନା, ତେବେ ସେ ଏହା ଉପରେ ଏକ କେସ ଆବେଦନ କରିପାରିବେ। ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କୁ ଏହାର ଜବାବ ଦେବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ ରେ ହେବ।