କୁନ୍ ପର୍ବତରେ ହିମସ୍ଖଳନ ଘଟି ୩ଜଣ ଯବାନ ନିଖୋଜ, ଜଣେ ସହିଦ

ନୂଆଦିଲ୍ଲୀ: କାର୍ଗିଲର କୁନ୍ ପର୍ବତରେ ହିମସ୍ଖଳନ ଘଟି ୩ ଜଣ ଯବାନ ନିଖୋଜ ଥିବା ଜଣାଯାଇଛି। ଦୁର୍ଘଟଣାରେ ନିଖୋଜ ଥିବା ଯବାନମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜା ଚାଲିଛି। ସେପଟେ ଜଣେ ଯବାନ ସହିଦ ହୋଇଥିବାକୁହାଯାଉଛି। ଭାରତୀୟ ସେନା ସହିଦ ଯବାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଏବେ ବି ୩ ଜଣ ଯବାନ ବରଫ ତଳେ ଦବି ରହିଛନ୍ତି। ସେନା ସେମାନଙ୍କୁ ଖୋଜିବାରେ ଲାଗିପଡ଼ିଛି। ଲଦାଖରେ ସେନାର ଏକ ଯୁଦ୍ଧ ବିଦ୍ୟାଳୟ ଅଛି। ଭାରତୀୟ ସେନାର ଆର୍ମି ଆଡଭେଞ୍ଚର ୱିଙ୍ଗ ସହ ଜଡିତ ଲୋକମାନେ ନିୟମିତ ଟ୍ରେନିଂ ପାଇଁ ମାଉଣ୍ଟ କୁନ୍ ନିକଟରେ ଉପସ୍ଥିତ ଥିଲେ। ଏହି ସମୟରେ ପାଖାପାଖି ୪୦ ଯବାନ ହିମସ୍ଖଳନ ସଂସ୍ପର୍ଶରେ ଆସିଥିଲେ। ୪ ଜଣ ଯବାନ ବରଫରେ ଫସି ଯାଇଥିଲେ। ବାକି ଯବାନମାନେ ଉଦ୍ଧାର ପାଇଯାଇଥିଲେ। ଏବେ ୪ ଜଣଙ୍କ ମଧ୍ୟରୁ ଜଣେ ସହିଦ ହୋଇଥିବା ସୂଚନା ରହିଛି। ବରଫରେ ଫସି ରହିଥିବା ଯବାନମାନଙ୍କୁ ଉଦ୍ଧାର କରିବା ପାଇଁ ସେନା କାର୍ୟ୍ୟ କରୁଛି। ପାଗ ଖରାପ ଥିବାରୁ ରିଲିଫ ଏବଂ ଉଦ୍ଧାର କାର୍ୟ୍ୟରେ ସମସ୍ୟା ଉପୁଜୁଛି।