ଭାରତ ପରେ ଥରିଲା ପାକିସ୍ତାନ, ଆତ୍ମଘାତି ଆକ୍ରମଣରେ ୧୨ ମୃତ

Pakistan Blast: ଦିଲ୍ଲୀର ଲାଲକିଲ୍ଲାରେ ବୋମା ବିସ୍ଫୋରଣ ପରେ, ଏବେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆଉ ଏକ ବିସ୍ଫୋରଣ । ଇସଲାମବାଦ କୋର୍ଟ  ନିକଟରେ ବିସ୍ଫୋରଣ । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ୨୫ ଜଣ ଆହତ ହୋଇଥିବା ରିପୋର୍ଟରୁ ଜଣାପଡିଛି । ପୋଲିସ୍‌ର ପ୍ରାରମ୍ଭିକ୍ ରିପୋର୍ଟ ଅନୁଯାୟୀ, ଧମାକାର ଶବ୍ଦ ଏତେ ତୀବ୍ର ଥିଲା ଯେ ଏହା ପୋଲିସ୍ ଲାଇନ୍ସ୍ ହେଡକ୍ୱାର୍ଟର୍ ପର୍ଯ୍ୟନ୍ତ ଶୁଣାଯାଇଥିଲା, ଯାହାଦ୍ୱାରା ଆଖପାଖରେ ଆତଙ୍କ ଖେଳିଯାଇଛି ।

ତେବେ ଏହି ବିସ୍ଫୋରଣ ଇସାଲାମାବାଦ କୋର୍ଟ ପରିସରରେ ଥିବା ପାର୍କିଂରେ ହୋଇଛି । ପାର୍କିଂରେ ରହିଥିବା ଏକ କାରରେ ବିସ୍ଫୋରଣ ଘଟିଛି, ଯାହାକି ବଡ଼ ଭୟଙ୍କର ହେବା ସହିତ ଏକାଧିକ ଲୋକଙ୍କ ଜୀବନ ଯାଇଛି ।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ଆମେ ଯୁଦ୍ଧ ସ୍ଥିତିରେ ଅଛେ । ଏହି ଆକ୍ରମଣ ପଛରେ ଆଫଗାନିସ୍ତାନ ସହ ଜଡ଼ିତ ଆତଙ୍କବାଦୀଙ୍କ ହାତ ଅଛି ବୋଲି ସେ କହିଛନ୍ତି । ଏହାକୁ ରୋକିବାକୁ ପାକିସ୍ତାନ ପୂରାପୂରି ସକ୍ଷମ ବୋଲି କହିବା ସହିତ ପାକିସ୍ତାନ ପ୍ରତି ଏହା ବିପଦ ବୋଲି ସେ କହିଛନ୍ତି ।

ଏହା ବର୍ତ୍ତମାନ ଏକ ସିଲିଣ୍ଡର ବିସ୍ଫୋରଣ ବୋଲି ମନେ ହେଉଛି, କିନ୍ତୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ବିସ୍ଫୋରଣର କାରଣ ଏବଂ ସମ୍ଭାବ୍ୟ ଅବହେଳା କିମ୍ବା ଅନ୍ୟାନ୍ୟ କାରଣଗୁଡ଼ିକର ତଦନ୍ତ ପାଇଁ ସୁରକ୍ଷା ବାହିନୀ ଏବଂ ଫରେନସିକ୍ ଟିମ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି।ଏହି ଘଟଣା ପରେ, କୋର୍ଟ କମ୍ପ୍ଲେକ୍ସ ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସମସ୍ତ କୋର୍ଟ କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଛି, ଏବଂ ପୁଲିସ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛି।