ଆସାମରେ ପ୍ରଳୟଙ୍କରୀ ବନ୍ୟା : ପାଣି ଘେରରେ ୪୨୯୧ ଗାଁ
ଆସାମରେ ଅତ୍ୟଧିକ ବର୍ଷା ପାଇଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
(ଆସାମ) : ଆସାମରେ ଅତ୍ୟଧିକ ବର୍ଷା ପାଇଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ୩୨ଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁଡ଼ିକର ବନ୍ୟା ଜଳ ୪୨୯୧ ଗାଁରେ ପ୍ରବେଶ କରି ୬୬୪୫୫.୮୨ ହେକ୍ଟର ଫସଲ ଜମି ନଷ୍ଟ କରିଛି । ଏନେଇ ବାରପେଟାରେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ଗ୍ରାମବାସୀ ସେମାନଙ୍କ ଘରେ ବହୁ ମୂଲ୍ୟବାନ ସାମଗ୍ରୀ ରଖି ଥିବାରୁ ନିଜ ଘର ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ଆମେ କୌଣସି ପ୍ରକାରେ ସେମାନଙ୍କୁ ଘର ଖାଲି କରିବାକୁ ମନାଇବାରେ ସଫଳ ହୋଇଛୁ ।
ରାଜ୍ୟର ୨୧ ଟି ଜିଲ୍ଲାରେ ପ୍ରଶାସନ ଦ୍ବାରା ଖୋଲାଯାଇଥିବା ୫୧୪ ରିଲିଫ୍ କ୍ୟାମ୍ପରେ ୧.୫୬ ଲକ୍ଷରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ଭାରତୀୟ ସେନା, ପାରାମିଲିଟାରୀ ଫୋର୍ସ, ଏନଡିଆରଏଫ, ଏସଡିଆରଏଫ ଏବଂ ଆସାମ ପୋଲିସର ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ୨୪ ଘଣ୍ଟିଆ ଉଦ୍ଧାର ଓ ରିଲିଫ ଅପରେସନ ଆରମ୍ଭ କରିଛି ।
ଗତକାଲି (ଶନିବାର) ରାଜ୍ୟରେ ୪ ଜଣ ଶିଶୁଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ଏବେ ୨୫ରେ ପହଞ୍ଚିଛି । ଏହା ବ୍ୟତୀତ ଅତି କମରେ ଆଠ ଜଣ ଲୋକ ନିଖୋଜ ଅଛନ୍ତି । ହୋଜାଇ ଜିଲ୍ଲାରେ ୪ ଜଣ ନିଖୋଜ ହୋଇଥିବାବେଳେ ବଜଲି, କାର୍ବି ଆଙ୍ଗଲଙ୍ଗ ପଶ୍ଚିମ, କୋକରାଜର ଏବଂ ତାମୁଲପୁର ଜିଲ୍ଲାରେ ଚାରି ଜଣ ନିଖୋଜ ଅଛନ୍ତି । ତେବେ ମୋଟ ଉପରେ ଚଳିତ ବର୍ଷ ବନ୍ୟା ଓ ଭୂସ୍ଖଳନରେ ଆହତଙ୍କ ସଂଖ୍ୟା ୬୨ କୁ ବୃଦ୍ଧି ପାଇଛି ।