ଫିଲ୍ମ ‘ଆନିମଲ୍‌’ରେ ନଜର ଆସିବେ ରଶ୍ମିକା

ଫିଲ୍ମ ‘ପୁଷ୍ପା’ ପରେ ରଶ୍ମିକା ମନ୍ଦନାଙ୍କ କ୍ରେଜ ବଢ଼ିବାରେ ଲାଗିଛି ।

(ମୁମ୍ବାଇ) : ଫିଲ୍ମ ‘ପୁଷ୍ପା’ ପରେ ରଶ୍ମିକା ମନ୍ଦନାଙ୍କ କ୍ରେଜ ବଢ଼ିବାରେ ଲାଗିଛି । ଅଭିନୟ ଦର୍ଶକ ଓ ସମୀକ୍ଷକ ମହଲରେ ଖୁବ୍‌ ପ୍ରଶଂସିତ ହୋଇଥିଲା । ତା’ପରେ ରଶ୍ମିକାଙ୍କ ନିକଟକୁ ନୂଆ ପ୍ରୋଜେକ୍ଟର ସୁଅ ଛୁଟିଲା । ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ‘ଆନିମଲ୍‌’ରେ ରଶ୍ମିକା କାମ କରିବାର ସୁଯୋଗ ପାଇଛନ୍ତି । ସେ ମଧ୍ୟ ଏକାଧିକ ଦମ୍‌ଦାର ପ୍ରୋଜେକ୍ଟ ସାଇନ୍‌ କଲେ ।

ଏନେଇ ସେ ପ୍ରତିକ୍ରିୟା ଦେଇଛନ୍ତି ଯେ , ‘ଫିଲ୍ମ ‘ପୁଷ୍ପା’ରେ ମୋ ପ୍ରଦର୍ଶନ ଦେଖିବା ପରେ ‘ଆନିମଲ୍‌’ର ନିର୍ମାତା ମୋତେ ଫିଲ୍ମ ଅଫର୍‌ ଦେଲେ । ଦ୍ୱିତୀୟ ଥର ଚିନ୍ତା ନ କରି ମୁଁ ହଁ ଭରିଲି । ମୋର ପୂର୍ଣ୍ଣ ବିଶ୍ୱାସ, ଏହି ଫିଲ୍ମରେ ଦର୍ଶକ ମୋର ଏକ ନୂଆ ଦିଗ ଉପଭୋଗ କରିବେ । ‘ପୁଷ୍ପା’ର ସଫଳତା ପରେ ରଶ୍ମିକାଙ୍କ ହାତରେ ପ୍ରାୟ ସବୁ ଇଣ୍ଡଷ୍ଟ୍ରିର ବିଗ୍‌ ବଜେଟ୍‌ ଫିଲ୍ମ ରହିଛି । ‘ଗୁଡ୍‌ବାଏ’ ସହିତ ସେ ‘ପୁଷ୍ପା-୨’ରେ ନଜର ଆସିବେ । ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍‌ରେ ‘ମିଶନ୍‌ ମଞ୍ଜୁ’ରେ ମଧ୍ୟ ସେ ସ୍କ୍ରିନ୍‌ ଶେୟାର କରିବେ ।