ସସ୍ପେଣ୍ଡକୁ ନେଇ ପୁଣି ଏକ ବଡ଼ ବୟାନ ଦେଲେ ଅରବିନ୍ଦ, କହିଲେ ଉତ୍ତର ଦେଲେନି ନବୀନ

ଭୁବନେଶ୍ଵର: ସସ୍ପେଣ୍ଡକୁ ନେଇ ଆଜି ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିରୁ ବିତାଡ଼ିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ସେ ପୁଣିଥରେ ପୂର୍ବରୁ କହିଥିବା ଅଭିଯୋଗକୁ ଦୋହରାଇ ଦଳ ଓ ନେତୃତ୍ୱ ଉପରେ ସିଧାସଳଖ ପ୍ରହାର କରିଛନ୍ତି। ଅରବିନ୍ଦ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ, ସେଥିପାଇଁ ଆଜିପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ। ଦୁର୍ନୀତି ଓ ବିଶ୍ୱାସଘାତକତା ନେଇ ସେ ସତ୍ୟାସତ୍ୟ ଯାଞ୍ଚ ପାଇଁ ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ତାହାକୁ ଅନୁଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆଉ କହିଛନ୍ତି ଯେ, ଯଦି ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ୍ ହୁଏ, ସେ ଏହି ପ୍ରଶ୍ନଗୁଡିକୁ ପୁଣିଥରେ ଉଠାଇବେ। ତାଙ୍କ କଥା ଅନୁଯାୟୀ, ସେ ବର୍ତ୍ତମାନ ସ୍ୱାଧୀନ ଭାବେ କାମ କରୁଛନ୍ତି ଏବଂ ବିଧାନସଭାରେ ସ୍ୱତନ୍ତ୍ର ଭାବରେ ଲୋକଙ୍କ ସମସ୍ୟା ଉଠାଇବେ। ରାଜ୍ୟ ସଭା ନିର୍ବାଚନକୁ ନେଇ ମଧ୍ୟ ଅରବିନ୍ଦ ମହାପାତ୍ର ନିଜ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦଳୀୟ ଆଦେଶ ଅନୁସାରେ ନୁହେଁ, ପ୍ରାର୍ଥୀଙ୍କ ଯୋଗ୍ୟତା ଦେଖି ସେ ଭୋଟ୍‌ ଦେବେ। ଏହି ବୟାନ ପରେ ରାଜ୍ୟର ରାଜନୈତିକ ପରିସ୍ଥିତି ଆହୁରି ତିବ୍ର ହେବାର ସମ୍ଭାବନା ରହିଛି।