ଘାଇକୁ ଖସିଲା ସେନା ଗାଡ଼ି, ୧୦ ଯବାନ ମୃତ

ନୂଆଦିଲ୍ଲୀ: ଆଜି ଜାମ୍ମୁ–କଶ୍ମୀରର ଡୋଡା ଜିଲ୍ଲାରେ ଘଟିଥିବା ଏକ ଭୟାବହ ଦୁର୍ଘଟଣାରେ ଅନେକ ଭାରତୀୟ ସେନା ଯବାନଙ୍କ ମୃତ୍ୟୁ ଘଟିଛି। ଅଧିକାରୀ ସୂତ୍ରରୁ ପ୍ରକାଶ ଯେ, ଭଡେରୱାହ–ଚାମ୍ବା ରାସ୍ତାର ଖନ୍ନି ନିକଟରେ ଏକ ବୁଲେଟ୍‌ପ୍ରୁଫ୍ ସେନା ଗାଡ଼ି ଘାଇକୁ ଖସିପଡ଼ିଥିଲା। ଗାଡ଼ିରେ ମୋଟ ୧୭ ଜଣ ଯବାନ ଥିଲେ। ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ପ୍ରାୟ ୨୦୦ ଫୁଟ୍ ତଳକୁ ଘାଇରେ ଖସିପଡ଼ିଥିଲା। ଘଟଣା ପରେ ତୁରନ୍ତ ଭାରତୀୟ ସେନା ଓ ଜାମ୍ମୁ–କଶ୍ମୀର ପୋଲିସର ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଉଦ୍ଧାର ସମୟରେ ଘଟଣାସ୍ଥଳରୁ ୪ ଜଣ ଯବାନଙ୍କ ମୃତଦେହ ମିଳିଥିଲା। ଅନ୍ୟ ୧୩ ଜଣ ଯବାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଧମପୁରସ୍ଥିତ ସେନା ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୬ ଜଣ ଆହତ ଯବାନଙ୍କ ମୃତ୍ୟୁ ଘଟିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଗତ ୮ ତାରିଖରେ ଗୁଲମାର୍ଗ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା। ଅନିତା ପୋଷ୍ଟକୁ ଯାଉଥିବା ସମୟରେ ଦୁଇଜଣ ସେନା ଯବାନ ଏକ ଗଭୀର ଘାଟିରେ ପଡ଼ିଯାଇଥିଲେ। ଦୁଇ ଦିନର ସର୍ଚ୍ଚ ଅପରେସନ୍ ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ମୃତକ ଯବାନଙ୍କ ନାମ ଲିଆକତ ଅହମ୍ମଦ ଦିଦାର୍ଦ (୨୭) ଏବଂ ଇଶଫାକ ଅହମ୍ମଦ ଖାତାନା (୩୩)। ଉଭୟ ବାରାମୁଲ୍ଲା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।