ବିଜେଡି ବିରୋଧରେ ବିଷ ଉଗାରିଲେ ଅର୍ଚ୍ଚନା ନାଗ୍: ଖୋଲିଲେ ନେତା, ପୋଲିସଙ୍କ ଗୁମର

ଭୁବନେଶ୍ଵର: ଗଣମାଧ୍ୟମ ଆଗରେ ବିଜେଡି ବିରୋଧରେ ବିଷ ଉଗାରିଲେ ଅର୍ଚ୍ଚନା ନାଗ୍ । ପାୱାରଫୁଲ୍ ବିଜେଡି ନେତା ଓ ପୋଲିସ ଅଧିକାରୀଙ୍କ ବିରୋଧରେ ଦେଲେ ବଡ ମନ୍ତବ୍ୟ । ବିଜେଡି ସଜାଇଥିଲା ବ୍ଲାକମେଲର୍, ବିଷ ଦେଇ ନେତା ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର ! ମୋ ପଛରୁ ଛୁରୀ ମାରିଥିଲେ କିଛି ଆଗ ଧାଡ଼ିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ ବୋଲି କହିଛନ୍ତି ଅର୍ଚ୍ଚନା ନାଗ୍।

ତେବେ ବିଜେଡି ବିରୋଧରେ ବର୍ଷିଛନ୍ତି ଅର୍ଚ୍ଚନା ନାଗ୍ । ମୋ ଗିରଫଦାରି ପଛରେ ବଡ଼ ଷଡ଼ଯନ୍ତ୍ର କରିଥିଲା ବିଜେଡି । ଗିରଫର ୬ ଦିନ ପରେ ଜାଣିଲି ଅଭିଯୋଗକାରିଣୀ କିଏ ଓ ଅଭିଯୋଗ କଣ । କିଛି ବଡ଼ ବଡ଼ିଆ ନେତା ମୋ ପଛରୁ ଛୁରି ମାରିଛନ୍ତି ବୋଲି କହିଛନ୍ତି ଅର୍ଚ୍ଚନା । ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇ ବର୍ଷିଛନ୍ତି ଅର୍ଚ୍ଚନା । ଏଥିସହ ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ୍‌ କରିଛନ୍ତି । ତତ୍‌କାଳୀନ ଡିସିପି ପ୍ରତୀକ ସିଂ ଓ ଏସିପି ପ୍ରକାଶ ପାଲ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା କହିଛନ୍ତି । ତାଙ୍କ ସହ ହିମାଂଶୁ ସାହୁ, ତତ୍‌କାଳୀନ ବାଲିଅନ୍ତା IIC ଅନୁପ କାନୁନଗୋ ଏଥିରେ ସମ୍ପୃକ୍ତ ଥିବା ନେଇ କହିଛନ୍ତି ଅର୍ଚ୍ଚନା ନାଗ୍ । ସେ ଆହୁରି କହିଛନ୍ତି, ଏକଥା ନିଜେ ଅଭିଯୋଗକାରିଣୀ ମୋତେ କହିଛନ୍ତି, ତାର ପ୍ରମାଣ ବି ରଖିଛି । ଜେଲ୍‌ ପରେଡ ବାହାନାରେ ପୋଲିସ ମୋ ପାଖକୁ ଜେଲ୍‌କୁ ଯାଉଥିଲେ । ମୋତେ ବିଷ ଇଞ୍ଜେକସନ ଦେଇ ହତ୍ୟା ଉଦ୍ୟମ କରିଥିଲେ । ଚା, କଫିରେ ବୋଧେ ନିଶା ଦେଉଥିଲେ, ମୁଁ ଶୋଇ ପଢ଼ୁଥିଲି । ମାତ୍ର କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚିଗଲି ବୋଲି କହିଛନ୍ତି ଅର୍ଚ୍ଚନା ନାଗ୍ ।

ଅର୍ଚ୍ଚନା ଆହୁରି କହିଛନ୍ତି ଯେ, ଯଦି ଖଣ୍ଡଗିରି ଥାନାରେ ମାମଲା ଥିଲା, ବାଲିଅନ୍ତା ପୋଲିସ ନେଲା କାହିଁକି । ମୋର ଘର ସିସିଟିଭି ହାଡଡିସ୍କକୁ ନଷ୍ଟ କରି ଦିଆଯାଇଛି । ଯଦି ମୋଠୁ ଜବତ ହେଲା ସବୁ ସ୍ବିଚ୍‌ ଅଫ କରି ଦିଆଯାଇଥିଲା । ମୁଁ ଯେଉଁ ଅଭିଯୋଗ କରୁଛି ପ୍ରମାଣ ଆଧାରରେ କହୁଛି । ଅଭିଯୋଗକାରିଣୀ ମୋତେ ଏହା କହିବାର ଅଡିଓ ମୋ ପାଖରେ ଅଛି । ବିଜେଡି ସେତେବେଳେ ତାଙ୍କୁ ଟଙ୍କା ଦିଆଇ କୁହାଉଥିଲା, ଏବେ ଟଙ୍କା ଦେଉନାହାନ୍ତି ତେଣୁ ସେ କହୁଛି । ମାତ୍ର ମୋର ଆଶଙ୍କା ଏବେବି ବିଜେଡି ତାଙ୍କୁ ଟଙ୍କା ଦେଉଛି । ଜେଲରଙ୍କୁ ମଧ୍ୟ ଟଙ୍କା ଦେଇ କିଣି ଦେଇଥିଲେ, ଏହାର ପ୍ରମାଣ ରହିଛି । ସେପଟେ ଅର୍ଚ୍ଚନା ନାଗ୍‌ଙ୍କ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବିଜେଡି ନେତା ଅମରେଶ ଜେନା । ମୋର ଏହି ଘଟଣାରେ ସମ୍ପୃକ୍ତି ନାହିଁ, ତଦନ୍ତ ହେଲେ ଜଣାପଡ଼ିବ । ସେ କାହା କଥାରେ ପଡ଼ି କହୁଛନ୍ତି କି କଣ ମୁଁ ଜାଣିନି । ସେ ଯେତେବେଳେ ମୋ ନା ନେଇଛନ୍ତି, ମୁଁ କଣ ବାହାରକୁ ପଳାଇବି ବୋଲି କହିଛନ୍ତି ବିଜେଡି ନେତା । ଅନ୍ୟପଟେ ଏ ବୟାନକୁ ନେଇ ଅନ୍ୟ ବିଜେଡି ନେତା କି କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।