ଶ୍ରୀନଗର: ଗତ ସୋମବାରଠାରୁ କାଶ୍ମୀରରେ ପ୍ରବଳ ବର୍ଷା ଜାରି ରହିଛି । ବାଦଲଫଟା ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ପରି ସ୍ଥିତି ଉପୁଜିଛି । ଫଳରେ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। ପାହାଡ଼ି ଅଞ୍ଚଳରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନର ସତର୍କତା ଜାରି କରାଯାଇଛି। ବର୍ଷା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ସୋନମାର୍ଗ ଏବଂ ପହଲଗାମର ବାଲତାଲ ଏବଂ ଚାନ୍ଦୱାରୀ ରୁଟ୍ ରୁ ଯାତ୍ରା ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ ଜମ୍ମୁ ଏବଂ କାଶ୍ମୀରରେ ପାଗ ବହୁତ ଖରାପ ରହିଛି ଏବଂ ଗତକାଲିଠାରୁ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଏବଂ ନାଳଗୁଡିକ ଉଛୁଳି ପଡିଛି । ଅନେକ ଜିଲାରେ ଅଣ୍ଡରପାସ୍ ବର୍ଷା ପାଣିରେ ପୂର୍ଣ୍ଣ ହୋଇଛି । ପାହାଡ ଫାଟିବା ଏବଂ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି । ଭାରତୀୟ ପାଣିପାଗ ବିଭାଗର ଆଗାମୀ ୫ଦିନ ଅର୍ଥାତ୍ ୨୧ ଜୁଲାଇ ପର୍ଯ୍ୟନ୍ତ ଜମ୍ମୁ ଏବଂ କାଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ତେବେ ବାଲଟାଲ ମାର୍ଗରେ ଭୂସ୍ଖଳନରେ ଜଣେ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସେପଟେ ଅନେକ ତୀର୍ଥଯାତ୍ରୀ ବନ୍ୟା କବଳରେ ଫସି ରହିଛନ୍ତି। ପାଣିପାଗ ବିଭାଗର ନିର୍ଦ୍ଦେଶକ କହିଛନ୍ତି ଯେ, ବର୍ଷା ଯୋଗୁଁ କାଶ୍ମୀର ଉପତ୍ୟକାର ତାପମାତ୍ରା ୨୩-୨୪ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି। ବିଶେଷ କରି ଜମ୍ମୁ ଡିଭିଜନରେ ହାରାହାରି ତାପମାତ୍ରା ହ୍ରାସ ପାଇଛି। ଏପରିକି ବର୍ଷା ଯୋଗୁଁ କାଶ୍ମୀର ଅଞ୍ଚଳରେ ଜଳକଷ୍ଟ ମଧ୍ୟ ୩୮ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ ପାଇଛି।