ଖୁବଶୀଘ୍ର ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର ସିଂହ !
ଖୁବଶୀଘ୍ର ପଦ୍ମ ଧରିବେ ହାତ ଛାଡିଥିବା କ୍ୟାପ୍ଟେନ ଅମରିନ୍ଦର ସିଂ
(ଚଣ୍ଡୀଗଡ଼) : ଖୁବଶୀଘ୍ର ପଦ୍ମ ଧରିବେ ହାତ ଛାଡିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ । ମୁଖ୍ୟମନ୍ତ୍ରୀ ପଦ ଯିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ଖୁବଶୀଘ୍ର ବିଜେପିରେ ମିଶିବେ। ସେ କଂଗ୍ରେସରୁ ଅଲଗା ହେବା ପରେ ନିଜସ୍ୱ ଦଳ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ସେ କିମ୍ବା ତାଙ୍କ ଦଳର ଜଣେ ହେଲେ ବି ପ୍ରାର୍ଥୀ ନିର୍ବାଚନ ଜିତିବାକୁ ସକ୍ଷମ ହୋଇ ନଥିଲେ।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ୮୯ ବର୍ଷୀୟ ଶ୍ରୀ ସିଂହ ଏବେ ସର୍ଜରୀ ପାଇଁ ଲଣ୍ଡନରେ ଅଛନ୍ତି। ଆସନ୍ତା ସପ୍ତାହରେ ସେ ଭାରତ ଫେରିବା ପରେ ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସ ସହ ବିଜେପିରେ ମିଶିବେ। ବ୍ୟାକ ସର୍ଜରୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅମରିନ୍ଦର ସିଂହଙ୍କ ସହ କଥା ହୋଇଥିଲେ। ତେଣୁ ସେ ଲଣ୍ଡନରୁ ଫେରିବା ପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ଆକଳନ କ୍ଲାରାଯାଉଛି ।
ସୂଚନାନୁଯାୟୀ , ନୂଆ ଦଳ ଗଠନ କରିବା ପୂର୍ବରୁ କ୍ୟାପ୍ଟେନ ଅମରିନ୍ଦର ସିଂହ ଦୀର୍ଘ ୫ ଦଶନ୍ଧି ଧରି କଂଗ୍ରେସ ସହ ରହିଥିଲେ। ୨୦୧୭ରେ କଂଗ୍ରେସ ପଞ୍ଜାବରେ କ୍ଷମତା ଦଖଲ କରିବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ୨୦୨୨ ବିଧାନସଭା ନିର୍ବାଚନର ଠିକ୍ କିଛି ମାସ ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଶେଷରେ ତାଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଏହାପରେ ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଦଳ ଛାଡ଼ିଥିଲେ।