ପାକିସ୍ତାନରୁ ଆସୁଥିବା  ସମସ୍ତ ଡାକ ଏବଂ ପାର୍ସଲ ସେବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ଡାକ ଏବଂ ପାର୍ସଲ ସେବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବିମାନ ଏବଂ ସ୍ଥଳପଥ ମାଧ୍ୟମରେ ହେଉଥିବା ସମସ୍ତ ଡାକ ଏବଂ ପାର୍ସଲ ଆଦାନ-ପ୍ରଦାନ ପାଇଁ ଲାଗୁ ହେବ। ଡାକ ବିଭାଗ ଏ ସମ୍ପର୍କରେ ଏକ ସାର୍ବଜନୀନ ନୋଟିସ୍ ଜାରି କରି ଏହି ନିଲମ୍ବନକୁ ନିଶ୍ଚିତ କରିଛନ୍ତି ।

ପୂର୍ବରୁ, ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS) ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ, ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ତୁରନ୍ତ ପ୍ରଭାବରୁ ସ୍ଥଗିତ କରାଯାଇଥିଲା। ଏହା ସହିତ ସମନ୍ୱିତ ଚେକ୍ ପୋଷ୍ଟ ଅଟାରୀକୁ ତୁରନ୍ତ ବନ୍ଦ କରିଦିଆଗଲା। ଏହା ବ୍ୟତୀତ, ସାର୍କ ଭିସା ଛାଡ଼ ଯୋଜନା ଅନୁଯାୟୀ ପାକିସ୍ତାନୀ ନାଗରିକମାନଙ୍କୁ ଭାରତ ଯାତ୍ରା କରିବାକୁ ଅନୁମତି ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଭାରତରେ ଉପସ୍ଥିତ ଥିବା ଯେକୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବା ପାଇଁ ୪୮ ଘଣ୍ଟା ସମୟ ଦିଆଯାଇଥିଲା।

ସୂଚନାଥାଉକି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡାକ ସେବା ପୂର୍ବରୁ ସୀମିତ ସ୍ତରରେ ଚାଲୁଥିଲା। ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ, ପାକିସ୍ତାନ ଅସ୍ଥାୟୀ ଭାବରେ ଡାକ ସେବା ବନ୍ଦ କରିଦେଇଥିଲା, ଯାହାକୁ ତିନି ମାସ ପରେ ପୁନଃସ୍ଥାପିତ କରାଯାଇଥିଲା। ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ଏହି ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଲମ୍ବନ ଫଳରେ ଦୁଇ ଦେଶ ମଧ୍ୟରେ ଚିଠିପତ୍ର, ବ୍ୟବସାୟିକ ଡାକ ଏବଂ ବ୍ୟକ୍ତିଗତ ପାର୍ସଲର ଆଦାନପ୍ରଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।