କଟକ: ଆଜି କଟକ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟର ଛୁଟି ବାତିଲ୍ । ପ୍ରବଳ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଦୃଷ୍ଟିରୁ ଛୁଟି ବାତିଲ୍ ଘୋଷଣା କରାଯାଇଛି । ଆଜି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ । ଏଥିରେ ଖିଲାପ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । କଟକ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟରେ ଜାରି ରହିବ ବର୍ଷା । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ୩ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିଭଳି ବରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାରେ ପବନ ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ପ୍ରବଳ ବର୍ଷା ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ଉପୁଜିବା ସହ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି । ନଦୀଗୁଡ଼ିକ ଏବେ ବିପଦ ସଙ୍କେତ ତଳେ ରହିଥିବା ବେଳେ ଆସନ୍ତାକାଲି ବି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ କହିଛି ଜଳସମ୍ପଦ ବିଭାଗ । ଯଦି ଆଗକୁ ବର୍ଷା ଲଗାତର ଭାବରେ ବଢ଼େ ତେବେ ନଦୀକୁଳ ଏବଂ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ ଏବଂ ସହାୟତା ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ଟ ଟିମ୍ ସହାୟତା ନିଆଯିବ।