ଆକାଶଙ୍କ ‘ମିଶନ୍ ସବୁଜ କୋରେଇ’ ଅଭିଯାନ

କୋରେଇ/ସୁନିଲ କୁମାର ଓଝା: ଆଜି ସକାଳ ୧୦ଘଟିକା ସମୟରେ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍ ଗୋଳେଇପୁର ଗ୍ରାମପଞ୍ଚାୟତ ତେଲିଆ ଗ୍ରାମରେ କୋରେଇର ପୂର୍ବତନ ବିଧାୟକ ବର୍ତ୍ତମାନ ଓଡିଶା ସରକାରଙ୍କର ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ “ମିଶନ୍ ସବୁଜ କୋରେଇ” ଅଭିଯାନରେ ୧୦୦ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ୟ୍ୟକ୍ରମ ଶେଷପରେ ତେଲିଆ ଗ୍ରାମରେ ୧୦୦୦ ବୃକ୍ଷ ବଣ୍ଟନ କରାଯାଇଥିଲା । ପିଜୁଳି, ଓଉ, ଆମ୍ବ, ପଣସ, ଆତ, ଶାଗୁଆନ୍, କାଜୁ, ଦେବଦାରୁ, ଆକାଶିଆ ଆଦି ବିଭିନ୍ନ ପ୍ରକାର ଫଳବୃକ୍ଷ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକ କହିଥିଲେ – ପରିବେଶ କହିଲେ ସାଧାରଣତଃ ପ୍ରକୃତି ସହିତ ଜୀବନ ଧାରଣର ମାନଦଣ୍ଡକୁ ବୁଝାଏ । ବିଶ୍ୱନିୟନ୍ତା ଇଶ୍ୱର ସୃଷ୍ଟିର ପ୍ରାରମ୍ଭରୁ ଜୀବନ ଧାରଣ ନିମନ୍ତେ ଅଗ୍ନ, ଜଳ, ବାୟୁ, ମାଟି ଓ ଆଲୋକ ଭଳି ପ୍ରାକୃତିକ ତତ୍ତ୍ୱଗୁଡିକ ନିଃଶୁଳ୍କ ମୂଲ୍ୟରେ ଯୋଗାଇଦେଇଛନ୍ତି । ଯାହାଦ୍ୱାରା ପୃଥିବୀପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିଛି । ଉକ୍ତ ୫ଟି ଉପାଦାନକୁ ନେଇ ପରିବେଶ ଗଠନ ହୋଇଅଛି ।ଈଶ୍ୱର ଜୀବଜଗତ ବଞ୍ଚି ରହିବା ପାଇଁ ଗଛଲତା, ନଦୀ, ସମୁଦ୍ର ଆଦି ସୃଷ୍ଟି କରିଛନ୍ତି । ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଆସିଛି । କିନ୍ତୁ ମନୁଷ୍ୟ ଲୋଭ ଓ ସ୍ୱାର୍ଥସାଧନ ନିମନ୍ତେ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି ।

ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି । ଫଳସ୍ୱରୂପ ଦିନ ତାପମାତ୍ର ବଢିଚାଲିଥିବାବେଳେ ବର୍ଷାର ପରିମାଣ କମିକମି ଆସିଲାଣି । ମଣିଷ ସମେତ ସମଗ୍ର ଜୀବଜଗତର ଜୀବନ ଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି । କିନ୍ତୁ ଅବାଧ ଗଛକଟା ସହିତ କଳକାରଖାନା ଓ ଗାଡିମଟରର ଅହେତୁକ ସଂଖ୍ୟା ବୃଦ୍ଧି ବାୟୂମଣ୍ଡଳରେ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍, କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ ବୃଦ୍ଧି କରିଥାଏ । ଫଳସ୍ୱରୂପ ବାୟୂମଣ୍ଡଳରେ ଥିବା ଓଜୋନ୍ ସ୍ତରରେ ରନ୍ଧ୍ର ହେବାଯୋଗୁଁ ସୂର୍ୟ୍ୟଙ୍କ ଠାରୁ ବିକିରଣ ହେଉଥିବା ଅତି ବାଇଗଣୀ ରଶ୍ମି ପୃଥିବୀପୃଷ୍ଠରେ ପଡିଥାଏ । ଯାହାକି ତାପମାତ୍ରା ବୃଦ୍ଧି ସହିତ ଚର୍ମକର୍କଟ ଭଳି ରୋଗକୁ ସୃଷ୍ଟି କରିଥାଏ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କରିବା । କୋରେଇକୁ ସବୁଜସୁନ୍ଦର କରି ଗଢିତୋଳିବା । ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ଘରେ ଗଛ ପହଞ୍ଚାଇବା ପାଇଁ ଶ୍ରୀ ଦାସନାୟକ ପ୍ରୟାସ ଜାରି ରଖିଛନ୍ତି । ଏହି କାର୍ୟ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ପିନାକ ରଞ୍ଜନ ଦାସ, ଅଦୈତ ପ୍ରସାଦ ଦାସ, ଶାନ୍ତନୁ କୁମାର ପଣ୍ଡା, ଅନାମ ମହାପାତ୍ର, କାର୍ତ୍ତିକ ଚନ୍ଦ୍ର ସାହୁ, ରାହାସ ବିହାରୀ ମହାନ୍ତି, କୁଳମଣୀ ସାହୁ, ଲକ୍ଷ୍ମୀଧର କରଣ, ପ୍ରିୟାନ୍ସୁ ଦାସ, ସତ୍ୟବାନ ପ୍ରଧାନ, ମୃତ୍ୟୁଞ୍ଜୟ ବିଶ୍ୱାଳ, ବାଙ୍କୁ ଜେନା, ଗୟାଧର ଦାସ, ମିର୍ଜା ହାଲିମ୍ ବେଗ୍, ଅକ୍ଷୟ କୁମାର ସାହୁ, ବିଜୟ କୁମାର ଦତ୍ତ, ପ୍ରଶାନ୍ତ ମଳିକ, ମିର୍ଜା ହାସିମ୍ ବେଗ୍, ନୀଳବନ୍ଧୁ ପୃଷ୍ଟି, ସନ୍ତୋଷ ବୋଷ, ଗୋପାଳ ସେଠୀ, ଦେବୀଦତ୍ତ ମହାପାତ୍ର, ସେକ୍ କୋର୍ବାନ୍, ବିପ୍ଲବ ସାହୁ ପ୍ରମୂଖ ସହଯୋଗ କରିଥିଲେ ।