ମୁମ୍ବାଇ : ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେଲେ ମୁକେଶ ଅମ୍ବାନୀ । ନିଜର ସାମାଜ୍ୟକୁ ଆଗକୁ ନେବା ପାଇଁ ତାଙ୍କର ପରବର୍ତ୍ତୀ ପିଢଙ୍କୁ ଭାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ମୁକେଶ ଅମ୍ବାନୀ । ଧିରୁଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପତ୍ତିକୁ ନେଇ ମୁକେଶ ଓ ଅନୀଲ ଅମ୍ବାନୀଙ୍କ ମଧ୍ୟରେ ଯେଉଁ ବିବାଦ ଦେଖା ଦେଇଥିଲା, ତାର ପୁନରାବୃତ୍ତି ନକରିବା ଉଦ୍ଦେଶ୍ୟରେ ମୁକେଶ ନିଜର ପିଲାମାନଙ୍କୁ ସେମାନଙ୍କ ଦାୟିତ୍ୱ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ମଙ୍ଗଳବାର ୬୫ବର୍ଷୀୟ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ପରେ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରିଲାଏନ୍ସ ଜିଓ ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଛି । ଏଥିସହିତ ପଙ୍କଜ ମୋହନ ପାୱାରଙ୍କୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ଏମ୍ଡି ଭାବେ ନିଯୁକ୍ତି ମିଳିଛି । ଗତ ୨୭ତାରିଖରେ ବୋର୍ଡ ଅଫ ଡାଇରେକ୍ଟର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସେହିପରି କମ୍ପାନୀର ଆଡିସିନାଲ ଡାଇରେକ୍ଟର ଭାବେ ରମିନ୍ଦର ସିଂହ ଗୁଜରାଲ ଏବଂ କେ.ଭି.ଚୌଧୁରୀଙ୍କୁ ବୋର୍ଡ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ୨୦୨୨ ଜୁନ ୨୭ ତାରିଖରୁ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।