ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଲାଗିବ ଏୟାର ପ୍ୟୁରିଫାୟର୍ । ବିଏମ୍ସି ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ ଜୟଦେବ ବିହାର ଏବଂ ଏଜି ଛକରେ ଲଗାଇବ । ଏହି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ମେୟର କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ କରାଯାଇଛି ଆଲୋଚନା । ଏହା ପରେ ଲଗାଯିବ ମେସିନ । ଫଳରେ ବିଷାକ୍ତ ବାୟୁ କବଳରୁ ରକ୍ଷା ପାଇବେ ଭୁବନେଶ୍ୱରବାସୀ । ଏହା ସହରର ପ୍ରମୁଖ ସ୍ଥାନରେ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ଭୁବନେଶ୍ୱରରେ ଯେଉଁଠି ସଫେଇ କରାଯାଉଛି ସେଠାରେ ପାଣି ସିଞ୍ଚନ କରାଯାଉଛି । ମୁଖ୍ୟ ସମସ୍ୟା ହୋଇ ଆଗକୁ ମୁଣ୍ଡ ଟେକିବ ସହର ବାୟୁ ପ୍ରଦୂଷଣ । ତେଣୁ ଲୋକମାନେ ପ୍ରଥମେ ସଚେତନ ହେବାର ରହିଛି ଆବଶ୍ୟକତା । ଘର ପିଛା ୪ରୁ ୫ ଗାଡି କିଣୁଛନ୍ତି । ଏହା ପ୍ରଦୂଷଣର ମାତ୍ରା ବଢ଼ାଉଛି । ଭୁବନେଶ୍ୱରେ ବାୟୁ ପ୍ରଦୂଷଣ ବଢିଚାଲିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୦୦ ପାର କଲାଣି । ଆଜି ପଟିଆ ଏକ୍ୟୁଆଇ ୨୨୨ ରହିଥିବା ବେଳେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରହିଛି ୨୪୨ ।