ଏୟାର ଇଣ୍ଡିଆର ନୂଆ ଫିଟନେସ୍ ନୀତି: BMI କମ୍ ହେଲେ ଡ୍ୟୁଟି ଓ ଦରମାରେ ପଡ଼ିପାରେ ପ୍ରଭାବ

New Delhi: ଭାରତର ପ୍ରମୁଖ ବିମାନ ସେବା ସଂସ୍ଥା Air India ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ନୀତି ପ୍ରଣୟନ କରିବାକୁ ଯାଉଛି, ଯାହା ସିଧାସଳଖ ସେମାନଙ୍କ ଡ୍ୟୁଟି ତାଲିକା ଏବଂ ଦରମାକୁ ପ୍ରଭାବିତ କରିପାରେ। ନୂତନ ନୀତି ଅନୁଯାୟୀ, ଯେଉଁ କ୍ରୁ ସଦସ୍ୟଙ୍କର ବଡି ମାସ୍ ଇଣ୍ଡେକ୍ସ (BMI) ନିର୍ଦ୍ଧାରିତ ସୀମାରୁ କମ୍ ରହିବ, ସେମାନଙ୍କୁ ଡ୍ୟୁଟି ତାଲିକାରୁ ବାହାର କରାଯାଇପାରେ। ଏହା ସହିତ ସେମାନଙ୍କ ଦରମାରେ ମଧ୍ୟ କମିବା ସମ୍ଭାବନା ରହିଛି।

ରିପୋର୍ଟ ଅନୁସାରେ, ଏହି ନୂତନ ନିୟମଗୁଡ଼ିକ ମେ’ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହାରେ କ୍ରୁ ସଦସ୍ୟଙ୍କ ଯୋଗ୍ୟତାକୁ BMI ମାପ ସହିତ ଏକ କାର୍ଯ୍ୟକ୍ଷମ ଫିଟନେସ୍ ପରୀକ୍ଷା ସହିତ ଯୋଡ଼ାଯିବ। ନୂତନ ମାନଦଣ୍ଡ ଅନୁଯାୟୀ, 18 ରୁ 24.9 ମଧ୍ୟରେ BMIକୁ ସାଧାରଣ ଏବଂ ପସନ୍ଦିତ ପରିସର ଭାବେ ଧରାଯିବ। 18ରୁ କମ୍ BMIକୁ “କମ୍ ଓଜନ” ଶ୍ରେଣୀରେ ଗଣନା କରାଯିବ।

କର୍ମଚାରୀମାନଙ୍କ ପାଇଁ ଜାରି ଏକ ସନ୍ଦେଶରେ, Air India କହିଛି ଯେ, ଏହି ପଦକ୍ଷେପର ଲକ୍ଷ୍ୟ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନତା ବଢ଼ାଇବା ଏବଂ ଠିକ୍ ଓଜନ ରଖିବାର ଅଭ୍ୟାସ ଗଢ଼ିଉଠାଇବା। ଏହା ସହିତ ସଂସ୍ଥା କହିଛି ଯେ, ଏହା ଏକ ପ୍ରସ୍ତୁତିମୂଳକ ପଦକ୍ଷେପ, ଯାହା ଆଗାମୀ ଦିନରେ ଆହୁରି କଠିନ ଫିଟନେସ୍ ମାନଦଣ୍ଡ ଲାଗୁ ହେବା ପୂର୍ବରୁ ଅମଲ କରାଯାଉଛି। ଏହି ନୂତନ ନୀତି ପୂର୍ବରୁ କାମ କରୁଥିବା କ୍ୟାବିନ କ୍ରୁ ଓ ତାଲିମ ନେଉଥିବା କ୍ରୁ—ଉଭୟଙ୍କ ପାଇଁ ପ୍ରଯୁଜ୍ୟ ହେବ।