ମେଘାଳୟ: କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରାଜ୍ୟପାଳ । ସେ କହିଛନ୍ତି ଯେ, ସେନା ଆଶାୟୀଙ୍କ ପାଇଁ ଅଗ୍ନିପଥ ଯୋଜନା ଏକ ଧୋକା। ସେନାରେ ୪ ବର୍ଷ କାମ କରିବା ପରେ ମଧ୍ୟ ଏଥିରେ ପେନ୍ସନ୍ ଯୋଜନା ନାହିଁ। ଏଭଳି ସ୍ଥିତିରେ ଏହି ଯବାନମାନଙ୍କୁ କେହି ବାହା ହେବାକୁ ରାଜି ହେବେ ନାହିଁ। ତେଣୁ ୪ ବର୍ଷିଆ ଚୁକ୍ତି ଭିତ୍ତିକ ଏହି ନିଯୁକ୍ତି ସ୍କିମର ପୁନର୍ବିଚାର ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।
ଭବିଷ୍ୟତର ଯବାନମାନେ ୬ ମାସ ତାଲିମ ନେବେ। ସେମାନଙ୍କୁ ୬ ମାସ ଛୁଟି ମିଳିବ। ଆଉ ବାକି ୩ ବର୍ଷ ଚାକିରି କରିବେ। ଯୁବପିଢ଼ିଙ୍କ ସ୍ୱପ୍ନ ଓ ଆଶା ସହ ଏହା ଧୋକା ବୋଲି ସେ କହିଛନ୍ତି। ଭାଗପତର ବାସିନ୍ଦା ସତ୍ୟପାଲ ଏବେ ମେଘାଳୟର ରାଜ୍ୟପାଳ ଅଛନ୍ତି। ନିଜ ବନ୍ଧୁ ଗଜେନ୍ଦ୍ର ସିଂଙ୍କ ମୃତ୍ୟୁ ଖବର ପାଇ ସେ ଖେକ୍ରା ଗାଁକୁ ଯାଇଥିଲେ। ସେଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ପୂର୍ବରୁ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସ୍ୱର ଉଠାଇଥିବା ବେଳେ ଏବେ ଦେଶର ଯୁବକଙ୍କ ଭବିଷ୍ୟତ କଥା କହୁଛି ବୋଲି କହିଛନ୍ତି।
ସୂଚନାନୁଯାୟୀ , ରାଜ୍ୟପାଳ କହିଥିଲେ, ମୁଁ ଏ ପର୍ଯ୍ୟନ୍ତ ସେପରି କିଛି ଜାଲରେ ଫସିନାହିଁ। ଯିଏ ମୋତେ ରାଜ୍ୟପାଳ ଆସନରେ ବସାଇଛନ୍ତି, ଯଦି ସେ କହିବେ ତେବେ ତୁରନ୍ତ ଇସ୍ତଫା ଦେଇଦେବି। ଅବସର ପରେ ରାଜନୀତି କରିବାର ଇଚ୍ଛା ଅଛି କି ବୋଲି ପ୍ରଶ୍ନ ପଚରାଯିବାରୁ ସକ୍ରିୟ ରାଜନୀତିରେ ପ୍ରବେଶ କରିବାର ଇଚ୍ଛା ନାହିଁ। ମୁଁ ଚାଷୀ ଏବଂ ଯୁବକମାନଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବି ବୋଲି କହିଥିଲେ।