ଭୁବନେଶ୍ଵର: ଖସିଲା ପାରଦ, ରାଜ୍ୟରେ ପୁଣି ବଢ଼ିଲା ଶୀତ । ବାଦଲ ହଟିବା ପରେ ଉପକୂଳ ଓଡ଼ିଶାରେ ଖସିଲା ପାରଦ । ସକାଳ ୫ଟା ୩୦ରେ ୯.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର । କେନ୍ଦୁଝର ୧୧.୬, ଭୁବନେଶ୍ବର ୧୩.୪, ବାଲେଶ୍ବର ୧୪ ଡିଗ୍ରୀ । ଚାନ୍ଦବାଲି ୧୪.୮ ଡିଗ୍ରୀ ଓ ପାରାଦୀପ ତାପମାତ୍ରା ୧୫ ଡିଗ୍ରୀ ।
ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା । ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶା ସହ ସଂଲଗ୍ନ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଆକାଶ ଅଧିକ ମେଘାଚ୍ଛନ୍ନ ରହିଥିଲା । ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁରର କିଛି ଅଞ୍ଚଳ ମେଘମୁକ୍ତ ସହ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଘଟିଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ। ଏହା ଶୀତ ବଢ଼ାଇବ। ତେବେ ଶନିବାର ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୬.୫ ଡିଗ୍ରୀ ଥିଲା । ଫୁଲବାଣୀରେ ୭, ରାଉରକେଲାରେ ୮, ଝାରସୁଗୁଡ଼ାରେ ୮.୩, ନବରଙ୍ଗପୁରରେ ୮.୫, ଜି ଉଦୟଗିରିରେ ପାରଦ ୯.୪ ଡିଗ୍ରୀ ଥିଲା । ଆକାଶକୁ ବାଦଲ ଘେରି ରହିଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଉପରମୁହାଁ ହେବାରୁ ଶୀତ କମିଯାଇଥିଲା । ରାଜଧାନୀରେ ଶୁକ୍ରବାର ରାତିରେ ପାରଦ ୧୦.୨ ଡିଗ୍ରୀ ଥିଲା । ଶନିବାର ଏହା ୧୭ କୁ ବଢ଼ିଥିଲା ।