ଦେଢ଼ ମାସର ବ୍ୟବଧାନ ପରେ ଅଲିଭରିଡ଼ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ

କେନ୍ଦ୍ରାପଡ଼ା-: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଦେଢ଼ ମାସର ବ୍ୟବଧାନ ପରେ ଅଲିଭରିଡ଼ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ ହେବାରେ ଲାଗିଛନ୍ତି । ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇଛି । ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି ।

ଅଲିଭରିଡ଼ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇଛି । ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩,୪୨୬ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ଲକ୍ଷ ୯୬,୪୩୬ କଇଁଛ ଅଣ୍ଡାଦାନ କରିଥିଲେ । ମଙ୍ଗଳବାର ଓ ବୁଧବାର ଦୁଇ ଦିନରେ ନାସୀ-୨ ରୁ ୮୨ଲକ୍ଷ କଇଁଛ ଶାବକ ସମୁଦ୍ରକୁ ଯାଇଥିଲେ । ଗୁରୁବାର ସନ୍ଧ୍ୟାରୁ ନାସୀ-୨ରୁ କଇଁଛ ଶାବକ ବାଲିରୁ ବାହାରି ସମୁଦ୍ରକୁ ଯିବା ଆରମ୍ଭ କରିଛନ୍ତି । ଅଣ୍ଡାଗୁଡ଼ିକର ଛୁଆ ଫୁଟିବା ସମୟରେ ସୁରକ୍ଷା ଦେବା ପାଇଁ ଗହୀରମଥା ବନ ବିଭାଗର କର୍ମଚାରୀ ମାନେ ସଜାଗ ରହିଛନ୍ତି । ଆଲୋକ ପଡିଲେ କଇଁଛ ଶାବକ ଏଣେତେଣେ ଚାଲିଯିବାର ସମ୍ଭାବନା ଥିବାରୁ ନିକଟସ୍ଥ ଅବଦୁଲ କଲାମ ଦ୍ୱୀପର ଉଜ୍ଜ୍ୱଳ ଆଲୋକକୁ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି । କଇଁଛ ଛୁଆ ଗୁଡିକୁ କୁକୁର,ବିଲୁଆ ଓ ଶିକାରୀ ପକ୍ଷୀମାନେ ଖାଇଯିବାର ଆଶଙ୍କା ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କଡା ନିରାପତ୍ତା ଗ୍ରହଣ କରାଯାଇଛି । ଏହି ପ୍ରକ୍ରିୟା ଆଉ ଚାରିଦିନ ପର୍ଯ୍ୟନ୍ତ ଚାଲୁ ରହିବ । ୩୧ ବର୍ଷ ପରେ ଏକକୂଳାନାସୀ କଇଁଛମାନେ ଚଳିତ ବର୍ଷ ଗଣ ଅଣ୍ଡାଦାନ କରିଥିଲେ ।