ଆଫଗାନିସ୍ତାନ ଭୂକମ୍ପ: ବଢୁଛି ମୃତ୍ୟୁ ସଂଖ୍ୟା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସମୟ ଗଡିବା ସହ ବଢୁଛି ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁ ସଂଖ୍ୟା । ଏଯାବତ୍ ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ସେହିପରି ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଆଫଗାନିସ୍ତାନରେ ପ୍ରଥମ ଭୂମିକମ୍ପ ବିଳମ୍ବିତ ରାତି ୧୨ଟା ୪୭ରେ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମାପ କରାଯାଇଥିଲା । ଜଲାଲବାଦରୁ ୨୭ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେଏହାର କେନ୍ଦ୍ର ସ୍ଥଳ ରହିଥିଲା ।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ୧୬୦ କିଲୋମିଟର ଭିତରେ ଥିଲା । ଏହା ପରେ ସାରା ରାତି ଅନେକ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଲୋକେ ନିଦରୁ ଉଠି ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ଭାରତର ଅନେକ ସ୍ଥାନରେ, ବିଶେଷକରି ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ପ୍ରାୟ ୨୦ ମିନିଟ୍ ପରେ, ସେହି ସେଠାରେ ଦ୍ୱିତୀୟଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା ୧୦କିଲୋମିଟର ଥିଲା ।

ଅନ୍ୟପଟେ ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟଣାରେ ସେ ଗଭୀର ଭାବେ ମର୍ମାହତ। ଏଭଳି କଠିନ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛନ୍ତି। ଆହତମାନଙ୍କ ଦ୍ରୁତ ଆରୋଗ୍ୟ ପାଇଁ ସେ ପ୍ରାର୍ଥନା କରୁଛନ୍ତି। କ୍ଷତିଗ୍ରସ୍ତମାନଙ୍କ ସମସ୍ତ ପ୍ରକାର ମାନବତାବାଦୀ ସହାୟତା ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଥିବା ସେ କହିଛନ୍ତି।

୨୦୨୩ ଅକ୍ଟୋବର ୭ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରା ପ୍ରାୟ ୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ଆଫଗାନିସ୍ତାନ ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଥିଲା । ଏହି ଦେଶ ଭୂକମ୍ପ ପ୍ରବଣ ଅଞ୍ଚଳ । ପ୍ରାୟ ସମୟ ଭୂକମ୍ପ ହୋଇଥାଏ । ଗତ ଗୋଟିଏ ମାସରେ ଆଫଗାନିସ୍ତାନରେ ୫ ଥର ଭୂକମ୍ପ ହୋଇଛି । ଏହା ପୂର୍ବରୁ ଅଗଷ୍ଟ ୨୭ରେ ୫.୪ ତୀବ୍ରତା, ୧୭ ଅଗଷ୍ଟରେ ୪.୯ ତୀବ୍ରତା, ୧୩ ଅଗଷ୍ଟରେ ୪.୨ ତୀବ୍ରତାର  ଭୂକମ୍ପ ହୋଇଥିଲା । ଅଗଷ୍ଟ ୮ରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା ।