ସୋନାକ୍ଷୀଙ୍କ ନାମରେ ଠକେଇ ଅଭିଯୋଗ

(ପ୍ରିୟଦର୍ଶନୀ ସ୍ୱାଇଁ) ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥିବା ବେଳେ ଏଥର କିନ୍ତୁ ଭିନ୍ନ ପ୍ରକାରର ମାମଲାକୁ ନେଇ ଚର୍ଚ୍ଚା ଜୋରଧରିଛି । ମୁରାଦାବଦରେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀରେ ସେପ୍ଟେମ୍ବର ୩୦ରେ ‘ଇଣ୍ଡିଆ ଫ୍ୟାଶନ ଆଣ୍ଡ ବ୍ୟୁଟି ଆୱର୍ଡ଼’ କାର୍ୟ୍ୟକ୍ରମର ଆୟୋଜନ ହୋଇଥିଲା।ଏଥିରେ ପୁରସ୍କାର ବାଣ୍ଟିବା ଲାଗି ସୋନାକ୍ଷୀ ଆସିବାର କାର୍ୟ୍ୟକ୍ରମ ରହିଥିଲା । ଏଥିପାଇଁ ସୋନାକ୍ଷୀଙ୍କ ଆସିଷ୍ଟାଣ୍ଟ ସହ କଥାବର୍ତ୍ତା ପରେ ତାଙ୍କ ଆକାଉଣ୍ଟକୁ ୩୨ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରିଦିଆଯାଇଥିଲା। ଏପରିକି ତାଙ୍କ ଆସିବା ଓ ରହିବାର ସମସ୍ତ ଆୟୋଜନ ମଧ୍ୟ ହୋଇସାରିଥିଲା। ହେଲେ ଶେଷ ମୂହୂର୍ତ୍ତରେ ସୋନାକ୍ଷୀ ଆୱାର୍ଡ଼ ଫଙ୍କ୍ସନ୍ଙ୍କୁ ଆସିବାକୁ ମନା କରିଦେଇଥିଲେ।
ସୋନାକ୍ଷୀ ଆଡ଼ଭାନ୍ସ ନେଇ ଇଭେଣ୍ଟକୁ ଆସି ନଥିବାରୁ ଠକେଇ ଅଭିଯୋଗ କରିଥିଲେ ଆୟୋଜକ । କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆ ଯାଇନଥିଲା । ତେଣୁ ଆୟୋଜକ ବାଧ୍ୟ ହୋଇ ବିଷ ପିଇଦେଇଥିଲେ। ତେବେ ଠିକ୍ ସମୟରେ ତାଙ୍କର ଚିକିତ୍ସା ହୋଇଥିବାରୁ ସେ ବଞ୍ଚିଯାଇଥିଲେ। ଅନ୍ୟପଟେ ପୁଲିସର କହିବା ଅନୁଯାୟୀ ତଦନ୍ତ ପ୍ରକ୍ରିୟା ପୂରା ହେବା ପରେ ସୋନାକ୍ଷୀଙ୍କ ସମେତ ଅନ୍ୟ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।