ଗଞ୍ଜାମ/ରଜନୀକାନ୍ତ ପାତ୍ର: ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ସମୟରେ ଶିକ୍ଷିତ ଓ ଅଶିକ୍ଷିତ ଜନସାଧାରଣ ଠକେଇ, ଗୁଣିଗାରେଡି, ସାମାଜିକ ବାସନ୍ଦ, ବାଲ୍ୟବିବାହ ଆଦି କୁସଂସ୍କାରର ସମ୍ମୁଖିନ ହେଉଛନ୍ତି। ଫଳରେ ଭାଇଚାରା, ସାମାଜିକ ଚଳଣି, ଆର୍ଥିକ ସମସ୍ୟା ଓ ଧନଜୀବନ ପ୍ରଭାବିତ ହେବା ନିତିଦିନିଆ ଘଟଣା ପାଲଟିଛି। ଏହି କୁସଂସ୍କାର, ଅନ୍ଧବିଶ୍ବାସକୁ ପ୍ରତିହତ କରି ସମାଜରେ ଏକ ସୁସ୍ଥ ବାତାବରଣ ବଜାୟ ରଖିବା ସକାଶେ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ କରାଯାଇଛି । ଗଣ ସଚେତନତା ମାଧ୍ୟମରେ ଲୋକଙ୍କ ନିକଟତର ହୋଇ ପୋଲିସ ଲୋକଙ୍କୁ ସୁରକ୍ଷା ଦେବା ସହ ପୋଲିସ ପବ୍ଳିକର ସେତୁ ରୂପେ କାର୍ୟ୍ୟ ପାଇଁ ଅଣ୍ଟା ଭିଡିଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶରେ ହିଞ୍ଜିଳି ଥାନା ମକରଝୋଳ ଗ୍ରାମରେ ଶୁକ୍ରବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏସ ଆଇ ସୁନୀଲ କଣ୍ଡୋଗିରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ଅତିଥି ରୂପେ ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା ଙ୍କ ସହ ଗ୍ରାମର କିଛି ବୁଦ୍ଧିଜୀବୀ ମଞ୍ଚସିନ ଥିଲେ। ଗ୍ରାମରେ ବାଲ୍ୟ ବିବାହ, ସାମାଜିକ ବାସନ୍ଦ, ଗୁଣିଗାରେଡି ଆଦି ଅନ୍ଧ ବିଶ୍ବାସ ଏବଂ କୁସଂସ୍କାର ଆଦି କାର୍ୟ୍ୟକଳାପରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ। ବ୍ୟାଙ୍କ, ଇନସୁରାନ୍ସ ଓ ସାମାଜିକ ଗଣମାଧ୍ୟମରେ ଆସୁଥିବା ଅଜଣା ଲିଙ୍କ୍ ଓ ଲୋଭନୀୟ ଅଫର ପ୍ରତି ବିଶ୍ଵାସ ନକରି ସର୍ତ୍ତକତା ଅବଲମ୍ବନ କରିବା ପାଇଁ ଥାନା ଏସ ଆଇ ଶ୍ରୀ ଜେନା ବୁଝାଇଥିଲେ । ବିଭିନ୍ନ ସମୟରେ ପିଏମ କିଶାନ ଯୋଜନା, ଶ୍ରମିକ କାର୍ଡ କିମ୍ବା ବ୍ୟାଙ୍କ୍, ବିଦ୍ୟୁତ୍ କର୍ମଚାରୀ ପରିଚୟ ଦେଇ ଟଙ୍କା ଠକେଇ କରିବା ପାଇଁ ବହୁ ଦଲାଲ୍ ଘୁରି ବୁଲୁଛନ୍ତି। ଏପରି ସ୍ଥଳେ ପ୍ରକୃତ ଅନୁସନ୍ଧାନ କରିବା ସହ ସନ୍ଦେହ ହେଲେ ପୋଲିସ୍ ସହାୟତା ପାଇଁ ପରାମର୍ଶ ଦେଇଥିଲେ।