ପୁରୀ: ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତି ରଥରେ ଶ୍ରୀଜୀଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅ ପାଣିରେ ପଣା ପ୍ରସ୍ତୁତ ହେବ ।

ଆଜି ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ। ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବା ଦେବୀ ବିରାଜମାନ କରିଥାନ୍ତି । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ପରେ ସମସ୍ତ ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା ମାନଙ୍କୁ ଶାନ୍ତ କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧି ରହିଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ର୍ନିମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ।

ତିନିରଥରେ ର୍ନିମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱଦେବାଦେବୀ ମାନେ ବିଜେ କରି ନବଦିନ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ। ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ, ଚଣ୍ଡୀ, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି। ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯିବ।
