ଅଭିନେତ୍ରୀ ତୁନିଶା ଶର୍ମାଙ୍କ ପରେ ପୁଣିଜଣେ ଝାଡଖଣ୍ଡର ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳିକରି ହତ୍ୟା । ସେ ଝାଡଖଣ୍ଡି ଟେଲିଭିଜନ ଦୁନିଆରେ ଜଣେ ବେଶ୍ ଜଣାଶୁଣା ଅଭିନେତ୍ରୀ । ଏହି ଘଟଣା ବୁଧବାର ସକାଳ ୬ଟା ବେଳେ ଘଟିଛି । ବଗନାନର ମହେଶ ରୋଡ ନିକଟରେ ଏଭଳି ଘଟଣା ଘଟିଛି । ପଶ୍ଚିମବଙ୍ଗର ଏକ ରାଜପଥ ଉପରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଅଭିନେତ୍ରୀ ରିୟା କୁମାରୀ ତାଙ୍କ ସ୍ୱାମୀଙ୍କ ସହ ଗାଡିରେ ଯାଉଥିଲେ । ଏହି ସମୟରେ କିଛି ଡକାୟତ ଗାଡି ଅଟକାଇ ଲୁଟପାଟ କରିବାକୁ ଚେଷ୍ଟା କରିଥିଲେ । ଡକାୟତଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ରିୟା କୁମାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଗୁଳିମାଡରେ ଘଟଣା ସ୍ଥଳରେ ରିୟାଙ୍କର ମୃତ୍ୟୁ ହୋଇଛି । ଏହି ଗାଡିରେ ରିୟାଙ୍କର ଏକ ୩ ବର୍ଷର ପୁଅ ମଧ୍ୟ ଥିଲା । ଏହାପରେ ରିୟାଙ୍କ ସ୍ୱାମୀ ପ୍ରକାଶ ରାଜାପୁର ଥାନାରେ ପହଂଚି ପୋଲିସକୁ ସମସ୍ତ ଘଟଣା ବାବଦରେ ସୂଚନା ଦେଇଥିଲେ । ପୋଲିସ ରିୟାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି । ରିୟା କୁମାରୀଙ୍କ ସ୍ୱାମୀ ପ୍ରକାଶ କୁମାର ଜଣେ ଫିଲ୍ମ ନିର୍ଦ୍ଦେଶକ ଭାବେ କାମ କରିବା ସହ ସେ ଜଣେ ଖଣି ବ୍ୟବସାୟୀ । ଏହି ଘଟଣା ବାବଦରେ ହାୱଡା ଗ୍ରାମୀଣ ପୋଲିସ ସ୍ୱାତୀ କହିଛନ୍ତି କି ରିପୋର୍ଟ ପାଇବା ପରେ ଘଟଣାର ଭିନ୍ନ ଭିନ୍ନ ଦିଗ ଉପରେ ତଦନ୍ତ କରାଯାଉଛି । ଏହାସହ ହାଇୱେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଂଚ କରାଯାଉଥିବା କଥା ସେ କହିଛନ୍ତି ।