ଗୁରୁଗ୍ରାମରେ ଘଟିଥିବା ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଚଳନ୍ତା କାର୍ର ଛାତ ଉପରେ ଜଣେ ଯୁବକ ପୁଶ୍-ଅପ୍ ମାରୁଥିବା ବେଳେ ଆଉ କିଛି ଯୁବକ ମଦ ପିଇବା ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ହେଲେ ଚଳନ୍ତା କାର୍ରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ମଉଜ ମସ୍ତି କରିବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଭିଡିଓ ଭାଇରାଲ୍ ପରେ ପୋଲିସ୍ କାର୍ ମାଲିକଙ୍କ ନାଁରେ ୬,୫୦୦ ଟଙ୍କା ଚାଲାଣ କାଟିବା ସହ ପୁଶ୍-ଅପ୍ ମାରୁଥିବା ଯୁବକଙ୍କୁ ଅଟକ ରଖିଥିଲା।
ସୋସିଆଲ୍ ମିଡିଆରେ ଏହି ଘଟଣାର ୨ଟି ଭିଡିଓ ଭାଇରାଲ୍ ହେଉଛି। ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ମଦ ପିଇ କାର୍ର ଛାତ ଉପରେ ବସିଛନ୍ତି। ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି, କାର୍ର ଛାତ ଉପରେ ବସିଥିବା ଉକ୍ତ ଯୁବକ ଚଳନ୍ତା ଗାଡ଼ିରେ ପୁଶ୍-ଅପ୍ ମାରିବା ସହ ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ ଅନ୍ୟ ୩ ଜଣ ଯୁବକ କାର୍ ୱିଣ୍ଡୋ ପଟେ ମୁଣ୍ଡ ବାହାର କରି ମସ୍ତି କରୁଛନ୍ତି। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ପୋଲିସ୍ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ନିୟମ ଖିଲାପକାରୀଙ୍କ ବିରୋଧରେ ୬,୫୦୦ ଟଙ୍କା ଚାଲାଣ କାଟିଛି। ଏହାସହ ନିଜ ଜୀବନ ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ନପକାଇବା ପାଇଁ ସିଟି ଟ୍ରାଫିକ୍ ପୋଲିସ୍ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହାସହ ପୋଲିସ୍ ଉକ୍ତ କାର୍କୁ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଚିହ୍ନଟ କରିଛି। ମାମଲା ରୁଜୁ ସହ ପୋଲିସ୍ ଘଟଣାର ତଦନ୍ତ କରୁଛି।