ଆସୁଛି ଭୟାନକ ସୌରଝଡ଼, ସର୍ବନାଶ ହୋଇପାରେ ଇଣ୍ଟରନେଟ୍

ୱାସିଂଟନ:   ସକଳ ଶକ୍ତିର ଆଧାର ସୂର୍ୟ୍ୟ ନିଜ ସୌର ଚକ୍ରର ଚରମସ୍ଥିତି ଆଡ଼କୁ ବଢ଼ିବାରେ ଲାଗିଛି । ଏଥିପାଇଁ ୨୦୨୫ରେ ଭୟାନକ ସୌରଝଡ଼ ସୃଷ୍ଟି ହେବ ଏବଂ ଏହା ଇଣ୍ଟରନେଟ୍ ପାଇଁ ବିନାଶକାରୀ ହେବ ବୋଲି କେତେକ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆମେରିକାର ମହକାଶ ଗବେଷଣା ସଂସ୍ଥା ନାସା ଏ ନେଇ କୌଣସି ଟିପ୍ପଣୀ ରଖିନାହିଁ।

ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ୨୦୨୫ରେ ଆସିବାକୁ ଥିବା ଏହି ସୌରଝଡ଼ ବିଶ୍ବର ଯୋଗାଯୋଗ ବ୍ୟବସ୍ଥାକୁ ଅକଳ୍ପନୀୟ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି। ଅତି ଚରମ ପର୍ୟ୍ୟାୟର ସୌରଝଡ଼ ସମ୍ଭାବନା ଥିବାରୁ ଏହାର କ୍ଷୟକ୍ଷତି କେତେ ବ୍ୟାପକ ହେବ ତାହା ଅନୁମାନ କରିହେବନାହିଁ ବୋଲି କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ଏସ୍. ଅବଦୁ ଜ୍ୟୋତି କହିଛନ୍ତି । ସୌରଝଡ଼ ଯୋଗୁଁ ରେଡିଓ ବ୍ଲାକଆଉଟ ତଥା ପାୱାର ଗ୍ରିଡ୍ ବିଫଳ ହୋଇଯିବ ବୋଲି ମଧ୍ୟ କେତେକ ବିଶେଷଜ୍ଞ କହିଛନ୍ତି ।