ଛତିଶଗଡ : ଛତିଶଗଡ ରାଜଧାନୀ ରାୟପୁରରେ ଆଜି ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ବିଦ୍ୟୁତ ବିଭାଗର ସବ –ଡିଭିଜନ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଭୟାବହ ରହିଛି ଯେ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖାଯାଉଛି । ଏପଟେ ଜୋରଦାର ବିସ୍ଫୋରଣ ସହିତ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡିଥିବା ଦେଖିବାକୁ ମିଳିଛି । ତେବେ ଏନେଇ ତୁରନ୍ତ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଏହାପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲା ।
ସୂଚନା ଅନୁଯାୟୀ, ଏଠାରେ ସବ-ଡିଭିଜନ ଅଫିସରେ ଟ୍ରନ୍ସଫର୍ମରେ ସର୍ଟ ସର୍କିଟ ହୋଇ ଏହି ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତହାତ ହୋଇନଥିବା କୁହାଯାଉଛି । ତେବେ ସବ- ଡିଭିଜନ ଅଫିଦରେ ୬୦୦୦ ଟ୍ରନ୍ସଫର୍ମର ରଖାଯାଇଥିବା ବେଳେ ସେଥିମଧ୍ୟରୁ ୧୫୦୦ଟି ଜଳି ପାଉଁଶ ହୋଇଯାଇଛି । ତେବେ ଏହି ଅଗ୍ନି କାଣ୍ଡରେ ବିଦ୍ୟୁତ ବିଭାଗକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି । ଏନେ ପୋଲିସ ସବ- ଡିଭିଜନ ଅଫିସ ସଂଲଗ୍ନ ରାସ୍ତା ବନ୍ଦ କରିଦେଇଥିବା ସୂଚନା ରହିଛି । ନିଅାଁର ପ୍ରକେପ ବଢୁଥିବାରୁ ଅଗ୍ନିଶମ ବାହିନୀ ନିଅାଁକୁ ଆୟତ୍ତ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା କୁହାଯାଉଛି ।