ଉଭୟଙ୍କ ମୁଣ୍ଡରେ ୧୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର

ମଧ୍ୟ ପ୍ରଦେଶର ବାଲଘାଟ ଜିଲ୍ଲାର କଦଳା ଜଙ୍ଗଲରେ ଶନିବାର ଭୋରରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ଦୁଇ ଦୁର୍ଦ୍ଦାନ୍ତ ନକ୍ସଲ। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ଏହି ଦୁଇ ଜଣ ମହିଳା ନକ୍ସଲ। ଉଭୟଙ୍କ ମୁଣ୍ଡରେ ୧୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଥିଲା। ମୃତ ନକ୍ସଲ ଦ୍ୱୟ ହେଲେ- ସୁନିତା ଓ ସରିତା ଖତିଆ ମୋଚା। ସୁନିତା ନକ୍ସଲଙ୍କ ଭୋରାମଦେବ କମିଟିରେ ଏରିଆ କମିଟି ମେମ୍ବର (ଏସିଏମ୍) ଭାବେ କାମ କରୁଥିଲେ। ସେହିପରି ସରିତା ବିସ୍ତାର ଦଳମରେ ଏରିଆ କମିଟି ମେମ୍ବର (ଏସିଏମ୍) ଭାବେ କାମ କରୁଥିଲେ। ସୁରକ୍ଷାକର୍ମୀମାନେ ନିହତ ମହିଳା ନକ୍ସଲଙ୍କ ଠାରୁ ବନ୍ଧୁକ, ଗୁଳି ଓ ଏକାଧିକ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। କଦଳା ଜଙ୍ଗଲରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନ ଜାରି ରଖିଛନ୍ତି। ଘଟଣାସ୍ଥଳକୁ ବାଲଘାଟ ଜୋନ୍ ଆଇଜିପି ସଞ୍ଜୟ କୁମାର ଓ ଏସ୍ପି ସମୀର ସୌରଭ ପ୍ରମୁଖ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ବାଲଘାଟ ପୁଲିସ୍ ୬ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲା।