ବ୍ୟୁରୋ: ପୁଣି ଥରିଲା ଆଫଗାନିସ୍ତାନ । ଆଜି ସକାଳେ ପୁଣି ଥରେ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିବା କୁହାଯାଉଛି । ଏହି ଭୂମିକମ୍ପ ନେଇ ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି । ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ସେମାନେ ବାହରକୁ ପଳେଇ ଆସିଥିବା କୁହାଯାଉଛି ।
ସେପଟେ ଗତ ଶନି ବାରେ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଏବେ ୪ହଜାର ଟପିଯାଇଥିବା କୁହାଯାଉଛି । ଭୂକମ୍ପରେ ପ୍ରାୟ ୨ ହଜାର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଆଫ୍ଗାନ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ଦୁର୍ଭାଗ୍ୟଜନକ ଭାବେ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଛି ଏବଂ ଲଗାତାର ବଢ଼ୁଛି। ପଶ୍ଚିମ ଆଫଗାନିସ୍ତାନ ଓ ଇରାନର ସୀମାରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏହାସହ ହଜାର ହଜାର ସଂଖ୍ୟାରେ ଲୋକ ବାସହୀନ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା । । ଏବେବି ଅନେକ ଲୋକ ମାଟି ତଳେ ପୋତି ହୋଇରହିଥିବାରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।