କୁକୁର ଆକ୍ରମଣରୁ ବଞ୍ଚିବା ପାଇଁ ତୃତୀୟ ମହଲାରୁ ଡେଇଁପଡ଼ିଲେ ଡେଲିଭରି ଏଜେଣ୍ଟ

ହାଇଦ୍ରାବାଦ: ହାଇଦ୍ରାବାଦରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡେଲିଭରି ଦେବାକୁ ଆସିଥିବା ଜଣେ ଏଜେଣ୍ଟ କୁକୁର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଯାଇ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି ।
ଏହି ଘଟଣା ହାଇଦ୍ରାବାଦର ପଞ୍ଚାବତୀ କଲୋନୀରେ ଥିବା ଶ୍ରୀନିଧୀ ହାଇଟ୍ସ ଆପାର୍ଟମେଣ୍ଟରେ ଘଟିଛି। ଜାଣିବାକୁ ମିଳିଛି ଯେ ଡେଲିଭରି ଏଜେଣ୍ଟ୍ ଜଣକ ଆପାର୍ଟମେଣ୍ଟ୍କୁ ଗଦି ଡେଲିଭରି କରିବାକୁ ଆସିଥିଲେ। ସେ ଯେତେବେଳେ ଗଦି ଡେଲିଭରି କରିବାକୁ ଦୁଆର ମୁହଁରେ ଛିଡ଼ା ହୋଇଥିଲେ ସେତେବେଳେ କୁକୁରଟି ବାହାରକୁ ବାହାରି ତାଙ୍କୁ ଆକ୍ରମଣ କରିବାକୁ ଧାଇଁ ଆସିଥିଲ। ପୁଲିସ୍ ସୂଚନାରୁ ଜାଣିବାକୁ ମିଳିଛି ଯେ କବାଟ ଫାଙ୍କରୁ କୁକୁରର ଭୁକିବା ଶୁଣି ୩୦ ବର୍ଷୀୟ ଡେଲିଭରି ଏଜେଣ୍ଟ୍ ଜଣକ ଭୟଭୀତ ହୋଇ ଯାଇଥିଲେ। ନିଜକୁ ସୁରକ୍ଷା ଦେବାକୁ ଯାଇ ବାଲକୋନିରେ ଥିବା ପାରାପେଟ୍ ଉପରକୁ ଯାଇ ତଳକୁ ଡେଇଁ ପଡ଼ିଥିଲେ। ଗ୍ରାହକ ଏବଂ ସେଠାରେ ରହୁଥିବା ଅନ୍ୟ ବାସିନ୍ଦା ତାଙ୍କୁ ଉଦ୍ଧାର କରିବାକୁ ଧାଇଁ ଆସିଥିଲେ ଓ ସେମାନେ ପୀଡ଼ିତଙ୍କୁ ତୁରନ୍ତ ହସ୍ପିଟାଲ୍କୁ ନେଇ ଯାଇଥିଲେ। ଏବେ ହସ୍ପିଟାଲ୍ରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ତେବେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଗଦି ବରାଦ ଦେଇଥିବା ଗ୍ରାହକ ବହନ କରନ୍ତୁ ବୋଲି ତେଲେଙ୍ଗାନା ଗିଗ୍ ଆଣ୍ଡ୍ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ୍ ପକ୍ଷରୁ ଦାବି ହୋଇଛି।