ବିଦେଶରେ ଚାକିରିର ସ୍ୱପ୍ନ, ମୋଟା ଅଙ୍କର ଟଙ୍କାର ଲୋଭ, ଆଉ ତା’ପରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଟାର୍ଗେଟ୍ କରି ହୋଇଥିଲା ଗୁଳିମାଡ଼! ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ଏକ ସାଂଘାତିକ ଆକ୍ରମଣ ଘଟଣାର ତଦନ୍ତରୁ ସାମ୍ନାକୁ ଆସୁଥିବା ଚାଞ୍ଚଲ୍ୟକର ତଥ୍ୟ। ପୋଲିସ ହାତରେ ଧରାପଡ଼ିଛନ୍ତି ତିନି ଅଭିଯୁକ୍ତ।
ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଆକ୍ରମଣ ପଛରେ ଗୋଟିଏ ପରେ ଗୋଟିଏ ଦିଗ ସାମ୍ନାକୁ ଆସିଛି । ଆକ୍ରମଣ ପାଇଁ ଅଭିଯୁକ୍ତମାନଙ୍କୁ ଦିଆଯାଇଥିଲା ବିଦେଶରେ ଚାକିରି ଯୋଗାଇଦେବାର ପ୍ରଲୋଭନ। କେବଳ ସେତିକି ନୁହେଁ, ମିଳିଥିଲା ଟଙ୍କାର ଲୋଭ ମଧ୍ୟ।
ତିନି ଜଣଙ୍କୁ ୫୦ ହଜାର ଟଙ୍କା ଅଗ୍ରିମ ଦିଆଯାଇଥିବା ବେଳେ, ଆକ୍ରମଣ ସଫଳ ହେଲେ ଆହୁରି ଟଙ୍କା ମିଳିବାର ପ୍ରତିଶ୍ରୁତି ଥିବା ଜଣାପଡ଼ିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍ ଙ୍କ କାର୍ କୁ ଟାର୍ଗେଟ୍ କରିଥିଲେ ଦୁଇ ଜଣ ଆକ୍ରମଣକାରୀ। ଗୁଳି ଚଳାଇବା ପରେ ସେମାନଙ୍କ ଫେରାର ହେବାର ଯୋଜନା ମଧ୍ୟ ଥିଲା। ତୃତୀୟ ଅଭିଯୁକ୍ତ ବାଇକ୍ ରେ ଅପେକ୍ଷା କରିଥିବା ତଦନ୍ତରୁ ଜଣାପଡ଼ିଛି।
କିନ୍ତୁ ଘଟଣା ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତମାନେ ଶେଷରେ ପୋଲିସ ଜାଲରେ ପଡ଼ିଥିଲେ। ଟ୍ରେନ୍ ରେ ଯାତ୍ରା କରୁଥିବା ସମୟରେ ରାଜସ୍ଥାନର କୋଟାରୁ ସେମାନଙ୍କୁ ଧରିଥିଲା ପୋଲିସ।