ସାଇବର ଠକେଇ ବିରୋଧରେ କେନ୍ଦ୍ରର ‘ଡିଜିଟାଲ ଷ୍ଟ୍ରାଇକ୍’: ୮୩ ହଜାର WhatsApp ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ସାଇବର ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ବଡ଼ ପଦକ୍ଷେପରେ ହଜାର ହଜାର ଆକାଉଣ୍ଟ ଓ ଆପ୍‌ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସାଇବର ଫ୍ରଡ୍ ସହ ସମ୍ପୃକ୍ତି ଥିବାରୁ ପ୍ରାୟ ୮୩ ହଜାର ୮୬୭ଟି WhatsApp ଆକାଉଣ୍ଟ ବ୍ଲକ୍ କରାଯାଇଛି। ଗୃହମନ୍ତ୍ରାଳୟର ସାଇବର ଶାଖା Indian Cyber Crime Coordination Centre (I4C) ପକ୍ଷରୁ ‘ଡିଜିଟାଲ ଷ୍ଟ୍ରାଇକ୍’ ଅଭିଯାନ ଚାଲିଥିବାବେଳେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏହାର ଲକ୍ଷ୍ୟ ଡିଜିଟାଲ ଆରେଷ୍ଟ ଓ ନିବେଶ ଠକେଇକୁ ରୋକିବା।

I4C ତଥ୍ୟ ଅନୁସାରେ—

୩,୯୬୨ଟି Skype ID ବ୍ଲକ୍
୮୩,୮୬୭ଟି WhatsApp ଆକାଉଣ୍ଟ ବନ୍ଦ
୮୨୭ଟି ବେଆଇନ ମୋବାଇଲ ଆପ୍ ବ୍ଲକ୍

ଏହାସହ, ଟେଲିକମ୍ ବିଭାଗ ଓ ସେବା ଯୋଗାଣକାରୀ ସଂସ୍ଥାମାନଙ୍କ ସହଯୋଗରେ ୮ ଲକ୍ଷ ୪୫ ହଜାର ସିମ୍ କାର୍ଡକୁ ଅକାମୀ କରାଯାଇଛି। National Cyber Crime Reporting Portal (NCRP) ପୋର୍ଟାଲ ମାଧ୍ୟମରେ ୨ ଲକ୍ଷ ୩୯ ହଜାର IMEI ନମ୍ବର ଠାବ କରାଯାଇଛି। ଏହି ସମସ୍ତ ଆକାଉଣ୍ଟ ଓ ଡିଭାଇସ୍‌ ୨୦୨୫ ଜାନୁଆରୀରୁ ବହୁ ବଡ଼ ସାଇବର ଠକେଇରେ ବ୍ୟବହୃତ ହୋଇଥିବା ଜଣାପଡ଼ିଛି।ସେହିପରି ‘ସହଯୋଗ’ ପୋର୍ଟାଲ ଜରିଆରେ ଇଣ୍ଟରନେଟରୁ ୧ ଲକ୍ଷ ୧୧ ହଜାରରୁ ଅଧିକ ସନ୍ଦିଗ୍ଧ ବିଷୟବସ୍ତୁକୁ ହଟାଯାଇଛି। ପୋଲିସ, ଟେଲିକମ୍ ବିଭାଗ ଓ ବିଭିନ୍ନ ସଂସ୍ଥାର ସମନ୍ୱୟରେ ଏହି ‘ଡିଜିଟାଲ ଷ୍ଟ୍ରାଇକ୍’ ଅଭିଯାନକୁ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି।